Odisha Link
Bridging the Missing Links in Odisha

ଧାମରା ପରେ ଆଦାନୀ ଗ୍ରୁପ୍‌ ହାତରେ ଗୋପାଳପୁର ବନ୍ଦର

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ ବୋଲି ସୂଚନା ମିଳିଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ହାତରେ ରହିବ ୫ ପ୍ରତିଶତ ଅଂଶଧନ। ବାର୍ଷିକ ୨୫ ମେଟ୍ରିକ୍‍ ଟନ୍‍ କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏହାଦ୍ୱାରା ବନ୍ଦରର ପୂର୍ଣ୍ଣ କ୍ଷମତା ଉପଯୋଗ ହୋଇପାରିବା ସହ ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଆଦାନୀ ଧାମରା ବନ୍ଦରକୁ ପରିଚାଳନା କରୁଛି।

୨୦୦୬ ମସିହାରେ ଗୋପାଳପୁର ବନ୍ଦରକୁ ରାଜ୍ୟ ସରକାର ଏକ ଘରୋଇ କମ୍ପାନୀକୁ ନିର୍ମାଣ, ପରିଚାଳନା ଏବଂ ହସ୍ତାନ୍ତର ଯୋଜନା ଆଧାରରେ ୩୦ ବର୍ଷ ପାଇଁ ମାଲିକାନା ପ୍ରଦାନ କରିଥିଲେ। ଏହି କମ୍ପାନୀରେ ଏବେ ଏହି ବନ୍ଦରରେ ଓଡ଼ିଶା ଷ୍ଟିଭେଡର୍ସ ଏବଂ ସପୁରଜୀ ପାଲୋନଜୀ ଗ୍ରୁପ୍‍ ରହିଛନ୍ତି। ନୂତନ ପ୍ରସ୍ତାବ ଅନୁସାରେ ସପୁରଜୀ ପାଲୋନଜୀ ଏହାର ମାଲିକାନାକୁ ସମ୍ପୂର୍ଣ୍ଣ ଭାବେ ଆଦାନୀକୁ ହସ୍ତାନ୍ତର କରିବ। ଓଡ଼ିଶା ଷ୍ଟିଭେଡର୍ସ ଏହି ବନ୍ଦରରେ କେବଳ ୫ ପ୍ରତିଶତ ଅଂଶଧନରେ ସୀମିତ ରହିବ। ଅର୍ଥାତ୍‍ ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଏବଂ ଏସ୍‍ଇଜେଡ୍‍ କମ୍ପାନୀକୁ କିଣିବା ଲାଗି ସରକାର ଅନୁମୋଦନ ଦେଇଛନ୍ତି।

କ୍ୟାବିନେଟ ବୈଠକ ପରେ ପରିବହନ ବିଭାଗର ମୁଖ୍ୟ ସଚିବ ଉଷା ପାଢ଼ୀ ଏହି ଅବସରରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଆଦାନୀ କୁ ହସ୍ତାନ୍ତରଣ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ଅନେକ ଦିନ ହେଲା ଏହି ବନ୍ଦର ପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିପାରୁ ନାହିଁ। ଏବେ କେବଳ କିଛି କାର୍ଗୋ ହ୍ୟାଣ୍ଡଲ କରୁଛି। ଅଧିକ ସଂଖ୍ୟାରେ କାର୍ଗୋ ହ୍ୟାଣ୍ତଲ କରିବା, ବିସ୍ତାର କରିବା ପାଇଁ ଉଦ୍ଦିଷ୍ଟ । ଏହାଦ୍ୱାରା ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ। ଏହାସହ ଏହାର ପାଖାପାଖି ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ଖୋଲିବା ପାଇଁ ଏହା ସହାୟକ ହେବ। ରାଜସ୍ୱର ୭.୫ ପ୍ରତିଶତ ରାଜ୍ୟକୁ ମିଳିପାରିବ। ଯୁବା ବର୍ଗଙ୍କୁ ନିଯୁକ୍ତି ମିଳିବ। ବର୍ତ୍ତମାନ ଗୋପାଳପୁର ବନ୍ଦରର ପ୍ରାୟ ୪ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରିଅଛି। ବନ୍ଦରର ସଂପ୍ରସାରଣ କରାଗଲେ ଏହା ସରକାରଙ୍କ ରାଜସ୍ବ ଅଂଶ ବୃଦ୍ଧି କରିବା ସହିତ ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ଶ୍ରୀମତୀ ପାଢ଼ି କହିଛନ୍ତି।

Leave A Reply

Your email address will not be published.