Odisha Link
Bridging the Missing Links in Odisha

ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ବଡ଼ ଭେଟି, ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ବୀମା

ଓଏଲ୍‌ ବ୍ୟୁରୋ: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ଦଶହରା ପୂର୍ବରୁ ବରିଷ୍ଠ ନାଗରିକଙ୍କ ବଡ଼ ଭେଟି ଦେଇଛନ୍ତି ମୋଦି ସରକାର। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଯାହାର ଲାଭ ଦେଶର କୋଟି କୋଟି ବରିଷ୍ଠ ନାଗରିକ ପାଇବେ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ଗରିବ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିଥାଏ । କିନ୍ତୁ ଏବେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ, ସେମାନେ ଗରିବ ପରିବାରର ହୁଅନ୍ତୁ କି ଧନୀ ଏବଂ ଯେତେ ରୋଜଗାର ହେଉ ନା କାହିଁକି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ୬ କୋଟି ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ।

କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି। ଆୟୁଷ୍ମାନ ଇଣ୍ଡିଆ ପିଏମ୍ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆମର ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଏକ ବଡ଼ ନିଷ୍ପତ୍ତି। ଏହି ନିଷ୍ପତ୍ତିରେ ଅନେକ ମାନବୀୟ ଚିନ୍ତାଧାରା ରହିଛି। ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ଏବଂ ଏଥିରେ ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାର ସାମିଲ ହେବେ, ଯେଉଁଥିରେ ପ୍ରାୟ ୬ କୋଟି ବରିଷ୍ଠ ନାଗରିକ ସାମିଲ ହେବେ।

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଆବେଦନ କରିବାକୁ ପଡ଼ିବ। ଅନଲାଇନ୍‌ ପୋର୍ଟାଲ, ଆୟୁଷ୍ମାନ ମିତ୍ର ଆପ୍‌ ଜରିଆରେ ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିପାରିବେ ବରିଷ୍ଠ ନାଗରିକ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଯୋଗାଇ ଦିଆଯିବ।

Leave A Reply

Your email address will not be published.