ନିୟମକୁ ଅବମାନନା, ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି
ଓଏଲ୍ ବ୍ୟୁରୋ: ଗତକାଲି ବୁଧବାର ଦିନ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢି ଯାଇଥିବା ନଜରକୁ ଆସିଥିଲା। ବେଶ କିଛି ସମୟ ଧରି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନୀଳଚକ୍ର ଓ ଦଧିନଉତି ଉପରେ ପରିକ୍ରମା କରୁଥିବା ଦୃଶ୍ୟମାନ ହେଉଥିଲା। ଯାହାକୁ ଦେଖି ସେବାୟତ ମାନେ ପୁଲିସକୁ ଜଣାଇଥିଲେ। ତେବେ ତତ୍କ୍ଷଣାତ ପୁଲିସ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଶ୍ରୀମନ୍ଦିର ପୁଲିସ ଉଧାର ପାଇଁ ଚେଷ୍ଟା କରିଥିଲେ। ବେଶ କିଛି ସମୟ ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତଳକୁ ଓଲ୍ହାଇଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।
ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗଂଜାମ ଛତ୍ରପୁର ଅଂଚଳର ହୋଇଥିବା ବେଳେ ସେ ତାଙ୍କ ପରିଚୟ ବଳରାମ ମହାରଣା ବୋଲି କହିଛନ୍ତି। ତେବେ ତାଙ୍କ ମାନସିକ ସ୍ଥିତି ଠିକ ନ ଥିବା ଅନୁମାନ କରାଯାଇଥିବା ବେଳେ ପୁଲିସ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ଅଧିକ ପଚାର ଉଚରା ଜାରି ରଖିଥିବା ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ମାନସିକ ସ୍ଥିତି ଠିକ ନ ଥିବା ଅନୁମାନ କରାଯାଇଥିବା ବେଳେ ତାଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ କେଉଁ କାରଣ ଯୋଗୁଁ ସେ ଉପରକୁ ଯାଇଥିଲେ ଏବଂ କିପରି ଗଲେ ସେ ନେଇ ଅଧିକ ପଚାର ଉଚରା ପରେ ଜଣାପଡିବ ବୋଲି ଏସ୍ପି କହିଛନ୍ତି।