Odisha Link
Bridging the Missing Links in Odisha

ସିମଲା ମସ୍‌ଜିଦ ବିବାଦରେ ନୂଆ ମୋଡ଼

ଓଏଲ୍‌ ବ୍ୟୁରୋ: ସିମଲା ମସଜିଦ ବିବାଦରେ ନୂଆ ମୋଡ଼। ମୁସଲିମ ସମ୍ପ୍ରଦାୟର ଲୋକ ବିବାଦିତ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବାକୁ ରାଜି ହୋଇଛନ୍ତି। ମୁସଲିମ୍‌ ପକ୍ଷ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବା ପାଇଁ ନଗର ନିଗମ କାର୍ଯ୍ୟକାଳରେ ପହଁଞ୍ଚି କହିଛନ୍ତି। ମୁସଲିମ ପକ୍ଷ କହିଛନ୍ତି ଯେ ନିଜେ ଅବୈଧ ଅଂଶକୁ ଭାଙ୍ଗିଦେବେ। ମସ୍‌ଜିଦ ସମିତିର ପ୍ରତିନିଧି ଆଜି ସିମଲା ନଗର ନିଗମ ଆୟୁକ୍ତ ଭୂପେନ୍ଦ୍ର କୁମାର ଅତ୍ରୀଙ୍କୁ ସାକ୍ଷାତ କରିବା ଅବୈଧ ଅଂଶ ଭାଙ୍ଗିବା ପାଇଁ ପତ୍ର ଦେଇଛନ୍ତି। ଏଥିସହିତ ନିଜେ ଅବୈଧ ଅଂଶକୁ ଭାଙ୍ଗିବା ପାଇଁ କହିଛନ୍ତି ମୁସଲିମ୍‌ ପକ୍ଷ।

ସୂଚନାଥାଉକି, ବେଆଇନ ଭାବେ ମସଜିଦ ନିର୍ମାଣ ହେଉଥିବା ଦାବି କରି ଗତକାଲି କିଛି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ହିମାଚଳ ସରକାର ସଞ୍ଜୌଲି ଅଞ୍ଚଳରେ କଟକଣା ଲଗାଇଥିଲେ। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ଏହାକୁ ହଟାଇ ଧାଲ୍ଲି ଟନେଲରେ ପ୍ରବେଶ କରିଥିଲେ। ଏହି ଟନେଲ ସଞ୍ଜୌଲି ଅଞ୍ଚଳକୁ ସଂଯୋଗ କରୁଛି। ବିକ୍ଷୋଭକାରୀମାନେ ଟନେଲ ଦେଇ ନିର୍ମାଣ ଚାଲିଥିବା ମସଜିଦ ଆଡ଼କୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।

ଏହି ଘଟଣାରେ ଅନେକ ବିକ୍ଷୋଭକାରୀ ଆହତ ହୋଇଥିଲେ। ସଞ୍ଜୌଲି ଅଞ୍ଚଳରେ ଥିବା ଗୋଟିଏ ମସଜିଦରେ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ କରିଥିଲେ। ଏଠାରେ ବେଆଇନ ଭାବେ ପ୍ରଥମ ମହଲାରେ ନିର୍ମାଣ କାମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଗତକାଲି ପ୍ରତିକ୍ରିୟା ରଖିଥିଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ। ସେ କହିଥିଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। ସରକାର ମଧ୍ୟ ସମାନ କଥା କହିଛନ୍ତି। କିନ୍ତୁ ଶାନ୍ତି ଭଙ୍ଗ ହେବା ଭଳି ସ୍ଥିତି ସୃଷ୍ଟି ନ ହେବା ଉଚିତ।

Leave A Reply

Your email address will not be published.