Odisha Link
Bridging the Missing Links in Odisha

ଥମୁନି ଡାକ୍ତରଙ୍କ ଆନ୍ଦୋଳନ, ନବାନ୍ନରୁ ଆସିଲା ଚିଠି

ଓଏଲ୍‌ ବ୍ୟୁରୋ: କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ଡାକ୍ତର ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ମାସେ ପୁରଣ ହୋଇଥିବାବେଳେ ନ୍ୟାୟ ଦାବିରେ ଆନ୍ଦୋଳନ ବଢ଼ିବାରେ ଲାଗିଛି।

ଗତ ଅଗଷ୍ଟ ୯ ତାରିଖ ରାତିରେ କୋଲକାତା RG କର ମେଡିକାଲ୍ କଲେଜରେ ଜୁନିୟର ଡାକ୍ତର ଅଭୟାଙ୍କ ସହ ବର୍ବରତା ଘଟିଥିଲା। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଛି। ଏବେ ବି ମେଡିକାଲ୍ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଥିବା ବେଳେ କୋଲକାତା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ, ଆନ୍ଦୋଳନ ଜାରି ରହିଛି। ସୁପ୍ରିମକୋର୍ଟରେ ଶୁଣାଣି ସତ୍ତ୍ୱେ ଡାକ୍ତର ଆନ୍ଦୋଳନ ଜାରି ରହିଛି।

ଆନ୍ଦୋଳନରତ ଡାକ୍ତରମାନେ ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହାସହ ଡାକ୍ତରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେମାନେ ଦାବି ଉଠାଇଛନ୍ତି। ଡାକ୍ତର ଆନ୍ଦୋଳନ କାରଣରୁ ସ୍ୱାସ୍ଥ୍ୟସେବା କୋଲକାତାରେ ବାଧାପ୍ରାପ୍ତ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାର ନବାନ୍ନରେ ଆଲୋଚନା ପାଇଁ ଡାକ୍ତରଙ୍କୁ ନିମନ୍ତ୍ରଣ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ନବାନ୍ନରେ ପହଂଚିବାକୁ ସୂଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ରେ ବୁଝାମଣା ନେଇ ଚିଠି ଲେଖିଛନ୍ତି। ୧୫ ଜଣଙ୍କ ମଧ୍ୟରେ ଏହି ଆଲୋଚନା କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୂଚନା ରହିଛି।

କ’ଣ ଥିଲା ଘଟଣାକ୍ରମ..

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ଏବେ ସିବିଆଇ ନିଜ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର କିଛି ଡାକ୍ତର ଓ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି।

Leave A Reply

Your email address will not be published.