ମୋଦିଙ୍କ ଜନ୍ମଦିନରୁ ‘ସେବାପକ୍ଷ’ ପାଳିବ ବିଜେପି, ରାଷ୍ଟ୍ରୀୟ ସମିତିର ସଦସ୍ୟ ହେଲେ ଅପରାଜିତା

ଓଏଲ୍ ବ୍ୟୁରୋ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ଭାଜପା ପକ୍ଷରୁ ‘ସେବାପକ୍ଷ’ ପାଳନ କରାଯିବ। ଏଥିପାଇଁ ସମଗ୍ର ଦେଶରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟମାନ ଅନୁଷ୍ଠିତ ହେବ। ସେବାପକ୍ଷ ଅବସରରେ ୧୭ରେ ମୋଦିଙ୍କ ଜନ୍ମଦିନ, ୨୫ରେ ପଣ୍ଡିତ ଦୀନ୍ଦୟାଲଜୀଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ।
ସେବାପକ୍ଷ ପାଇଁ ରାଷ୍ଟ୍ରୀୟ ସମିତିରେ ସଦସ୍ୟ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଷ୍ଟ୍ରୀୟ ସମିତିରେ ସଦସ୍ୟ ହେବା ପରେ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେବାପକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମକୁ ଦଳର ସମସ୍ତ ଏମ୍ପି, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ନିର୍ବାଚିତ ଜନପ୍ରତିନିଧିଙ୍କ ସହ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ପାଳନ କରିବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।