Odisha Link
Bridging the Missing Links in Odisha

ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବ ନାହିଁ: ଭର୍ତ୍ତୃହରି

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଥମିବାର ନାଁ ଧରୁନି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ। କିଛି ନେତା ନାମ ପରିବର୍ତ୍ତନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ନେତା ନାମ ପରିବର୍ତ୍ତନକୁ ସମର୍ଥନ କରୁ ନାହାନ୍ତି। ନିକଟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିରୋଧ କରିଥିବା ବେଳେ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ଚର୍ଚ୍ଚାକୁ ଖୋଲାଖୋଲି ସମର୍ଥନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ।

ଆଜି ଭୁବନେଶ୍ବରର ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ଏକ ସଭାରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ। ସେଠାରେ ନଅଙ୍କ ଦୁର୍ଭିକ୍ଷ ଓ ଥୋମାସ ରେଭେନ୍ସାଙ୍କ ଭୂମିକା ବିଷୟରେ ଏକ ଆଲୋଚନା ଚକ୍ର ହୋଇଥିଲା। ଏହି ଅସବରରେ ସାଂସଦ କହିଛନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଓଡ଼ିଆ ଜାତିର ଅନୁଦାନରେ ନିର୍ମିତ ଶିକ୍ଷାନୁଷ୍ଠାନର ନାମ କାହିଁକି କଂରେଜ ନାମରେ ରହିବ। ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବ ନାହିଁ। ରେଭେନ୍ସା ନାମ ପରିବର୍ତ୍ତନ ପାଇଁ ୧୯୭୭ ମସିହାରୁ କୁହା ହୋଇ ଆସୁଛି। ଏନେଇ ୧୯୮୦ ମସିହାରେ ଲେଖା ବି ଲେଖିଥିବା କହିଛନ୍ତି ଭର୍ତ୍ତୃହରି ମହତାବ।

ସେ ଆହୁରି କହିଛନ୍ତି, ନାମ ପରିବର୍ତ୍ତନ ନିଷ୍ପତ୍ତି ସରକାର ନେବେ। ମୁଁ ମୋ ମତ ରଖିଛି। କାହାରିକୁ ଆକ୍ଷେପ କରିନାହିଁ। ସୂଚନାଥାଉକି, ଗତ ୧୦ ତାରିଖରେ ନାମ ପରିବର୍ତ୍ତନକୁ ଭିତ୍ତି କରି ଭର୍ତ୍ତୃହରି ମହତାବ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ନିକଟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଗଣମାଧ୍ୟମରେ କହିଥିଲେ, ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ। ନାବ ବଡ଼ ନୁହେଁ କାମ ବଡ଼। ତେବେ ନାମକୁ ନେଇ ଏତେ ରାଗ କାହିଁକି ବୋଲି ଶ୍ରୀ ପଟ୍ଟନାୟକ କରିଥିଲେ। ସେ ଆହୁରି କହିଥିଲେ ଯେ ରେଭେନ୍ସା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଆଣନ୍ତୁ ଯେ ନାମ ପରିବର୍ତ୍ତନ ହେବନାହିଁ ବୋଲି କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମ ଗଠନ କରାଯାଇଛି। ଆଉ ହେରିଟେଜ ଫୋରମ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ସାରା ଓଡ଼ିଶାରେ ଜନମତ ସଂଗ୍ରହ ହେବ କହିଥିଲେ ସଦସ୍ୟ ସତ୍ୟକାମ ମିଶ୍ର। ଏପରିକି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି କୁହାଯାଇଛି।

ସୂଚନାଥାଉକି, ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ପାଇଁ କଟକ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା? ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣଙ୍କ କରୁଥିଲେ କଣ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବର ବିଷୟ କି ବୋଲି ପଚାରିଥିଲେ ଧର୍ମେନ୍ଦ୍ର। ସେବେଠୁ ରେଭେନ୍ସ ତାତି ବଢ଼ିବାରେ ଲାଗିଛି।

Leave A Reply

Your email address will not be published.