Odisha Link
Bridging the Missing Links in Odisha

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ପୁଅ, କମଳାଙ୍କ ପାଇଁ ସମୟ କରୁଛନ୍ତି ଜୋରଦାର ପ୍ରଚାର

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜରୁ ଆମେରିକାର ନ୍ୟୁ ହାମ୍‌ସାୟର ବହୁ ଦୂର। ହେଲେ ମୟୂରଭଞ୍ଜ ଓ ଓଡ଼ିଶାର ଦୂରତାକୁ କମାଇଛନ୍ତି ଓଡ଼ିଆ ପୁଅ ସମୟ ସାହୁ। ରାଜନୀତି ବଳରେ ଦୂରତା କମାଇଛନ୍ତି ସମୟ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିବା ସମୟ ସାହୁଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ୨୧ ବର୍ଷିୟ ସମୟ ଆମେରିକା ରାଜନୀତିରେ ଜଣେ ଜଣା ଚେହେରା ଭାବେ ଉଭା ହୋଇଛନ୍ତି।

ଆମେରିକା ରାଜନୀତିରେ ସକ୍ରିୟ ସମୟ ସାହୁ। ବର୍ତ୍ତମାନ ସେ ଡେମୋକ୍ରାଟିକ୍‌ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ମାତ୍ର ୨୧ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢ଼ତାର ସହ ଡେମୋକ୍ରାଟିକ୍‌ ଦଳର ବାର୍ତ୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି।

ସମୟ ସାହୁ କିଏ ?
ସମୟ ସାହୁ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା। ତେବେ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ। ଆମେରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ। ବର୍ତ୍ତମାନ ପରିବାର ସହ ସମୟ ନ୍ୟୁ ହାମ୍‌ସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି।

୨୦୦୮ ମସିହାରେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍‌ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ। ପୁଅର ଏଭଳି ଆଗ୍ରହ ଦେଖି ଆମେରିକାର ଇତିହାସ ଏବଂ ରାଜନୀତି ବିଷୟରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମାନସ। ତାଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେ ମୋକ୍ରାଟିକ୍‌ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା। ଯାହାଫଳରେ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ। ୨୦୨୦ ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ ସମୟ।

ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟର ମାଲିକାନା ସମୟଙ୍କ ପରିବାର ହାତରେ ରହିଛି। ଆଉ ସମସ୍ତେ ଆମେରିକା ନାଗରିକତା ଗ୍ରହଣ କରିଛନ୍ତି। ହାଇସ୍କୁଲ ଅମଳରୁ ରାଜନୀତିରେ ପାଦ ଥାପିଥିଲେ ସମୟ ସାହୁ। ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍‌ ଅଫ୍‌ ‌ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଗଲା। ତାପରଠୁ ଆଉ ପଛକୁ ଫେରି ନାହାନ୍ତି ସମୟ ସାହୁ। ୨୦୧୯ ମସିହାରେ ଜୋ ବାଇଡେନଙ୍କ ପାଇଁ ପ୍ରଚାର କରୁଥିବା ସମୟ ଏବେ କମଳା ହ୍ୟାରିସ୍‌ଙ୍କ ପାଇଁ ପ୍ରଚାର କରି ବିରୋଧୀଙ୍କ ହୋସ ଉଡ଼ାଉଛନ୍ତି।

Leave A Reply

Your email address will not be published.