୧୫୬ ଦିନ ପରେ ଜେଲରୁ ମୁକୁଳିବେ କେଜ୍ରିୱାଲ, ହେଲେ ଯାଇପାରିବେନି ଅଫିସ୍

ଓଏଲ୍ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିଛି। ୧୫୬ ଦିନ ପରେ ଜେଲରୁ ମୁକୁଳିବେ କେଜ୍ରିୱାଲ। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜାମିନ ମିଳିଥିବାବେଳେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ଅନୁସାରେ, ଅରବିନ୍ଦ କେଜ୍ରିୱାଲ ଅଫିସ ଯାଇପାରିବେନି ଏବଂ କୌଣସି ଟିପ୍ପଣୀ ଦେଇପାରିବେନି।
ସୂଚନା ଅନୁସାରେ, ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ କେଜ୍ରିୱାଲ ମଧ୍ୟ ଇଡି ସହ ଜଡିତ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇଥିଲେ।
ଗତ ଜୁଲାଇ ୧୨ରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଥିଲେ। ୨୧ ଦିନ ବାହାରେ ରହି ନିର୍ବାଚନୀ ପ୍ରଚାର କରିଥିଲେ। ପରେ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ସିବିଆଇ ଜୁନ୍ ୨୬ରେ ତିହାର ଜେଲରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା।
କେଜ୍ରିୱାଲ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରିଥିଲେ। ପ୍ରଥମ ଜାମିନ ଆବେଦନ ଏବଂ ଦ୍ୱିତୀୟରେ ସିବିଆଇ ଦ୍ୱାରା ଗିରଫ ଓ ରିମାଣ୍ଡରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ କେଜ୍ରିୱାଲଙ୍କୁ ଉଭୟ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଭୂୟାଂ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।