Odisha Link
Bridging the Missing Links in Odisha

ଆଜିଠୁ ସରକାରୀ ଅଧିକାରୀଙ୍କ ଛୁଟି ୩ଦିନ ପାଇଁ ବାତିଲ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଜାଗ ଓଡ଼ିଶା ସରକାର। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ସରକାରୀ ଛୁଟିଦିନ ଥିଲେ ମଧ୍ୟ ଅଧିକାରୀମାନେ ହେଡକ୍ୱାର୍ଟର ଛାଡ଼ିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଛୁଟିଦିନରେ କୌଣସି ସରକାରୀ ଅଫିସର ହେଡକ୍ୱାର୍ଟର ନଛାଡ଼ିବା ପାଇଁ ରାଜ୍ୟ ସରକାର  ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ୩ଦିନ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଫିସ୍ ଖୋଲା ରହିବ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି। ସରକାରୀ ଛୁଟିଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ଅଫିସରମାନଙ୍କୁ ଜାରି କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି।

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ଜନତା ମଇଦାନରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ବିଜେପି ସରକାରର ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଭୟ ସଂଗଠନ ଓ ସରକାରୀସ୍ତରରେ ଶାସକ ବିଜେପି ଯୋଜନା କରିଛି। ପ୍ରଧାନମନ୍ତ୍ରୀଙ୍କ ଜନତା ମଇଦାନ ସଭାରେ ଲକ୍ଷାଧିକ ମହିଳାଙ୍କୁ ସାମିଲ କରିବା ସହ ପ୍ରତି ବ୍ଲକରେ ୫ହଜାର ମହିଳାଙ୍କୁ ଏକଜୁଟ କରାଯାଇ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.