Odisha Link
Bridging the Missing Links in Odisha

ଟ୍ରେନି ଡାକ୍ତର ହତ୍ୟା ମାମଲା: କାହିଁକି ଗିରଫ ହେଲେ ଆଇଆଇସି?

ଓଏଲ୍‌ ବ୍ୟୁରୋ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଏବେବି ଜାରି ରହିଛି। ଏହି ଘଟଣାରେ ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପରେ ଥାନା ଆଇଆଇସି ଅଭିଜିତ ମଣ୍ଡଳଙ୍କ ମୁସ୍କିଲ ବଢିବାରେ ଲାଗିଛି। ଉଭୟଙ୍କୁ କୋଲକାତାର ଏକ ଅଦାଲତ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ପଠାଇଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି, ଆମକୁ ତିନି ଦିନ ପାଇଁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଏବେ ଦୁହିଁଙ୍କୁ ଏକ ସଙ୍ଗେ ଜେରା କରିବୁ। ଉଭୟ ଆରଜି କରି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ।

ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ସନ୍ଧ୍ୟାରେ ଆଇଆଇସି ଅଭିଜିତ ମଣ୍ଡଳକୁ ଗିରଫ କରିଥିଲା। ପ୍ରମାଣ ନଷ୍ଟରେ ସନ୍ଦୀପଙ୍କ ସଂପୃକ୍ତି ଥିବା ସିବିଆଇର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। ଏଥିସହ ହସ୍ପିଟାଲରେ ବେଆଇନ ଅର୍ଥ କାରବାର ମାମଲାରେ ସନ୍ଦୀପ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଅଧିକାରୀ କହିଛନ୍ତି, ଆଇଆଇସି ମଣ୍ଡଲ ମଧ୍ୟ ପ୍ରମାଣ ନଷ୍ଟ କରିବା, ଏଫଆଇଆର ରୁଜୁ କରିବାରେ ବିଳମ୍ବ ଏବଂ ଅନ୍ୟ ସମ୍ବନ୍ଧିତ ଅପରାଧର ଅଭିଯୁକ୍ତ।

କାହିଁକି ଗିରଫ ହେଲେ ଆଇଆଇସି?

ଶନିବାର ସିବିଆଇ ଅଧିକାରୀଙ୍କ ଦ୍ଵାରା ଜେରା ସମୟରେ ଆଇଆଇସି ଅଭିଜିତ ମଣ୍ଡଳ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସିବିଆଇ ଅଦାଲତରେ ଜଣାଇଛି ଯେ, ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ଥାଇପାରେ। ଘୋଷ ଓ ମଣ୍ଡଳ ଏହି ଅପରାଧକୁ ଚାପିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଣ୍ଡଳଙ୍କୁ ମହିଳା ଡାକ୍ତରଙ୍କ ମୃତ୍ୟୁ ବିଷୟରେ ଅଗଷ୍ଟ ୯ ତାରିଖ ସକାଳ ପ୍ରାୟ ୧୦ଟାରେ ଖବର ଦିଆଯାଇଥିଲା। ମାତ୍ର ଏଫଆଇଆର ରାତି ୧୧ଟାରେ ରୁଜୁ କରାଗଲା।

ଯାଞ୍ଚ ଏଜେନ୍ସି ଅଦାଲତରେ କହିଛନ୍ତି, ଦୁହେଁ ଘଟଣାକୁ ଦୁର୍ବଳ ଦେଖାଇବା ସହିତ ଜଘନ୍ୟ ଅପରାଧ ଉପରେ ପରଦା ପକାଇବାକୁ ଉଦ୍ୟମ କରିଥିଲେ। ଏହା ଦୁଷ୍କର୍ମ ଓ ହତ୍ୟା ଘଟଣା ହୋଇଥିବାରୁ ପୋଲିସକୁ ନିଜ ଆଡ଼ୁ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିବାର ଥିଲା। ମାତ୍ର ଆଇଆଇସି ସନ୍ଦୀପ ଘୋଷ ଏଥିରେ ଘୋର ଅବହେଳା କରି ମାମଲାକୁ ଚପାଇବାକୁ ଉଦ୍ୟମ କରିଥିବା ସିବିଆଇ କୋର୍ଟରେ କହିଛି। ଉଲ୍ଲେଖନୀୟ ମହିଳା ଡାକ୍ତରଙ୍କ ମୃତଦେହ ଅଗଷ୍ଟ ୯ ତାରିଖରେ ହସ୍ପିଟାଲ୍‌ର ସେମିନାର ହଲ୍‌ରେ ମିଳିଥିଲା। ଏହି ଜଘନ୍ୟ ଘଟଣାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।

କ’ଣ ଥିଲା ଘଟଣାକ୍ରମ..

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ଏବେ ସିବିଆଇ ନିଜ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର କିଛି ଡାକ୍ତର ଓ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି।

Leave A Reply

Your email address will not be published.