Odisha Link
Bridging the Missing Links in Odisha

କାଲି ମିଳିବ ‘ସୁଭଦ୍ରା’ ଟଙ୍କା, ଜାଣନ୍ତୁ କେଉଁମାନେ ହେବେ ଉପକୃତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା। ୧୫ ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥି ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।

ଆସନ୍ତାକାଲି ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯୋଜନାର ପ୍ରଥମ କିସ୍ତି ଅର୍ଥ ଯିବ। ଏଥି ପାଇଁ ସରକାରୀ ସ୍ତରରେ ବଡ଼ ଧରଣର ପ୍ରସ୍ତୁତି ଚାଲିଛି। ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ଲେଖାଏ ପଠାଯାଇଛି। ସାରା ରାଜ୍ୟରେ ସୁଭଦ୍ରା ସଚେତନତା ପଦଯାତ୍ରା ବି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି।

ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି। ପଞ୍ଜୀକରଣ ପାଇଁ ବଢୁଥିବା ଗହଳିକୁ ଦେଖି ସ୍ପଷ୍ଟ ଅନୁମେୟ ହେଉଛି ଯେ ଓଡ଼ିଶାରେ ମହିଳାମାନେ ‘ସୁଭଦ୍ରା’କୁ ଆପଣେଇଛନ୍ତି। ଏହାକୁ ଏକ ସଫଳ ଯୋଜନା କରିବା ପାଇଁ ମହିଳାମାନେ ରାଜ୍ୟ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.