Odisha Link
Bridging the Missing Links in Odisha

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆସିଲା ଗସ୍ତସୂଚୀ

ଓଏଲ୍‌ ବ୍ୟୁରୋ: ୭୪ତମ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିଛି।

ମିଳିଥିବା ଚିଠି ଅନୁସାରେ, ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦରୁ ସକାଳେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ଗାଡ଼କଣରେ ୩୦ ମିନିଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରିବେ। ଏହା ପରେ ଜନତା ମଇଦାନ ଅଭିମୁଖେ ଯାତ୍ରା କରି ୧୧ଟା ୫୫ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହା ପରେ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଯାତ୍ରା କରି ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ ପ୍ରଧାନମନ୍ତ୍ରୀ।

ପ୍ରବଳ ଜନସମାଗମର ସମ୍ଭାବନା ରହିଥିବାବେଳେ କମିଶନରେଟ୍ ପୁଲିସ କିଛି ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରିଛି। ଜୟଦେବବିହାରରୁ ନାଲ୍କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ୧୬ ନଂ ଜାତୀୟ ରାଜପଥ (ଏନ୍ଏଚ୍)ରେ କ୍ରାଉନ୍ ହୋଟେଲ ଓ ଆଚାର୍ଯ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବବିହାର ଆଡ଼କୁ ଯାଇପାରିବେନି।

ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡ଼ି ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ। ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ। ନଚେତ୍, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍ ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ।

ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡ଼ି ଆଚାର୍ଯ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ। ନଚେତ୍, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।

ନୟାପଲ୍ଲୀ ବେହେରା ସାହି ପଟୁ ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା ସାହିଠାରୁ ଆଚାର୍ଯ୍ୟବିହାର କିମ୍ବା ସିଆର୍ପି ଛକ ହୋଇ ଯାଇପାରିବେ। ଆସନ୍ତା ୧୭ ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହେବନି।

Leave A Reply

Your email address will not be published.