Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା, କାଲି ଏହି ସବୁ ରାସ୍ତାରେ ଯାତାୟତ ମନା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରବଳ ଜନସମାଗମର ସମ୍ଭାବନା ରହିଥିବାବେଳେ କମିଶନରେଟ୍ ପୁଲିସ କିଛି ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରିଛି। ଜୟଦେବବିହାରରୁ ନାଲ୍କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ୧୬ ନଂ ଜାତୀୟ ରାଜପଥ (ଏନ୍ଏଚ୍)ରେ କ୍ରାଉନ୍ ହୋଟେଲ ଓ ଆଚାର୍ଯ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବବିହାର ଆଡ଼କୁ ଯାଇପାରିବେନି।

ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡ଼ି ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ। ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ। ନଚେତ୍, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍ ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ।

ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡ଼ି ଆଚାର୍ଯ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ। ନଚେତ୍, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।

ନୟାପଲ୍ଲୀ ବେହେରା ସାହି ପଟୁ ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା ସାହିଠାରୁ ଆଚାର୍ଯ୍ୟବିହାର କିମ୍ବା ସିଆର୍ପି ଛକ ହୋଇ ଯାଇପାରିବେ। ଆସନ୍ତା ୧୭ ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହେବନି।

https://x.com/cpbbsrctc/status/1835387578587193437

ଅନ୍ୟପଟେ, ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ରହିଛି। ପ୍ରଧାନମନ୍ତ୍ରୀଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ଲାଉଞ୍ଜ ତିଆରି ହୋଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ଭିଆଇପି ଲାଉଞ୍ଜ ପ୍ରସ୍ତୁତ କରାଯାଇଛି। ୭୦ ହଜାର ଲୋକ ସମାଗମ ହୋଇପାରିବା ଭଳି ହ୍ୟାଙ୍ଗର ଛିଡା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦିଙ୍କ ଗସ୍ତ ନେଇ ଜନତା ମୈଦାନରେ ପ୍ରସ୍ତୁତି ବୁଲି ଦେଖିଛନ୍ତି। ସମଗ୍ର ଅଞ୍ଚଳ ଏସପିଜି କଣ୍ଟ୍ରୋଲରେ ରହିବ। ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏସପିଜି ଓ ବୋମା ସ୍କ୍ବାଡ୍ ଟିମ୍। ବ୍ଲୁ ବୁକ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରହିଛି।

ମୋଦିଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ। ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ତସ୍ତ କରାଯାଇଛି। ଏହାସହ ମୁତୟନ ହେବେ ୧୧ ଜଣ ଡିସିପି ରାଙ୍କର ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଇନସ୍ପେକ୍ଟର ଓ ପ୍ରାୟ ୩ଶହ ଅଧିକାରୀ। ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ହେବ। ସାଧା ପୋଷାକରେ ରହିବେ ପୁଲିସ। ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବ୍ୟାରିକେଡ଼ କରାଯାଇଛି।

Leave A Reply

Your email address will not be published.