Odisha Link
Bridging the Missing Links in Odisha

ଆଜି ଖଣ୍ଡପଡ଼ା ଏନଏସିରେ ଅନାସ୍ଥା ଭୋଟ, କିଏ ମାରିବ ବାଜି ?

ଓଏଲ୍‌ ବ୍ୟୁରୋ: ଆଜି ଖଣ୍ଡପଡ଼ା ବଜ୍ଞାପିତ ଅଞ୍ଚଳ ପରିଷଦରେ ଅନାସ୍ଥା ଭୋଟ। ଏଥିପାଇଁ ବ୍ୟାପକ ହୋଇଛି ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଦାୟିତ୍ବରେ ୨ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିପାଇଁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରଛନ୍ତି ଜିଲ୍ଲାପାଳ। ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଭୋଟ ପଡ଼ିବ ଆଜି। ଏଥିପାଇଁ ଭାରତୀୟ ଜନତା ପାର୍ଟି ସଭାପତି ମନମୋହନ ସାମଲ ନୟାଗଡ଼ ଜିଲ୍ଲା ସଭାପତି ତାପସ ମାର୍ଥାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ନ୍ୟସ୍ତ କରିଛନ୍ତି।

୨୦୨୨ ଖଣ୍ଡପଡ଼ା ବଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଅଧ୍ୟକ୍ଷା ଭାବେ ଆରତୀ ପ୍ରଧାନ ନିର୍ବାଚିତ ଥିଲେ। ୨୦୨୨ରେ ୧୩ଟି ଓ୍ବାର୍ଡ ବିଶିଷ୍ଟ ଖଣ୍ଡପଡ଼ା ଏନ୍‌ଏସିରେ ୮ ଜଣ ବିଜେଡି କାଉନସିଲର ଜିତିଥିବା ବେଳେ ୪ ଜଣ ସ୍ବାଧୀନ କାଉନସିଲର ଓ ଜଣେ ବିଜେପି କାଉନସିଲର ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷା ଆରତୀ ପ୍ରଧାନ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ ଶ୍ରୀମତୀ ପ୍ରଧାନ।

୨୦୨୪ ଅଗଷ୍ଟ ୧ ତାରିଖରେ ଖଣ୍ଡପଡ଼ା ଏନ୍‌ଏସିର ଉପାଧ୍ୟକ୍ଷ ମିହିର କୁମାର ମିଶ୍ର ଜିଲ୍ଲାପାଳଙ୍କୁ ଭେଟି ଆରତୀ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି କରିଥିଲେ। ହେଲେ ସରକାରୀ ସ୍ତରରେ କୌଣସି ତତ୍ପରତା ଦେଖିବାକୁ ମିଳି ନଥିଲା। ପରେ ସ୍ବାଧୀନ କାଉନସିଲର ସରୋଜ କୁମାର ପ୍ରଧାନ ଅନାସ୍ଥା ପ୍ରସ୍ତାବ ଶୀଘ୍ର କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୨୯ ତାରିଖରେ ହାଇକୋର୍ଟର ଶୁଣାଣି ଥିଲା। ନୟାଗଡ଼ ଜିଲ୍ଲାପାଳ ସେପ୍ଟେମ୍ବର ୧୭ ତାରିଖରେ ଅନାସ୍ଥା ପ୍ରସ୍ଥାବ ହେବ ବୋଲି ଲିଖିତ ଆକାରରେ କୋର୍ଟକୁ ଜଣାଇଥିଲେ। ପରେ ଜିଲ୍ଲା ପ୍ରଶାସନ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।

ଏହାକୁ ଚ୍ୟାଲେଞ୍ଜ କରି ସେପ୍ଟେମ୍ବର ୧୩ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅଧ୍ୟକ୍ଷା ଆରତୀ ପ୍ରଧାନ। ସେ କାଉନସିଲରଙ୍କ ଦ୍ବାରା ନିର୍ବାଚନ ହୋଇ ନଥିବାରୁ ଅନାସ୍ଥା ପ୍ରସ୍ତାବ ବାତିଲ କରାଯାଉ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଯାହାଫଳରେ ଆଜି ଖଣ୍ଡପଡ଼ା ଏନ୍‌ଏସିରେ ଅନାସ୍ଥା ଭୋଟ ପଡ଼ିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ସମର୍ଥନରେ ୧୦ ଜଣ କାଉନସିଲର ଥିବାବେଳେ ବିିଜେପି ସମର୍ଥନରେ ୩ ଜଣ କାଉନସିଲର ରହିଛନ୍ତି। ତେବେ ଅନାସ୍ଥା ଭୋଟ ଫଳାଫଳ କ’ଣ ହେବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.