Odisha Link
Bridging the Missing Links in Odisha

ମୋଦିଙ୍କ ଓଡ଼ିଶା ଗସ୍ତ, ଅପରାହ୍ନ ଯାଏଁ ଏହି ସବୁ ରାସ୍ତାରେ ଗଡିବନି ମୋ ବସ୍

ଓଏଲ୍‌ ବ୍ୟୁରୋ: ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଚଳଚଂଚଳ ରାଜଧାନୀ। ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ଟ୍ରାଫିକ କଟକଣା କାରଣରୁ ମୋ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରୁଟ ନମ୍ବର ୯,୧୦,୧୧,୧୨,୧୩,୧୮,୩୬,୩୭,୪୭ ପ୍ରଭାବିତ ହୋଇଛି।

ମୋଦିଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଜୟଦେବବିହାରରୁ ନାଲ୍କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ୧୬ ନଂ ଜାତୀୟ ରାଜପଥ (ଏନ୍ଏଚ୍)ରେ କ୍ରାଉନ୍ ହୋଟେଲ ଓ ଆଚାର୍ଯ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବବିହାର ଆଡ଼କୁ ପ୍ରବେଶ ନିଷେଧ ହୋଇଛି।

ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡ଼ି ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବା ପାଇଁ ଦିଆଯାଉଛି। ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ। ନଚେତ୍, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍ ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ।

ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡ଼ି ଆଚାର୍ଯ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ। ନଚେତ୍, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।

ନୟାପଲ୍ଲୀ ବେହେରା ସାହି ପଟୁ ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା ସାହିଠାରୁ ଆଚାର୍ଯ୍ୟବିହାର କିମ୍ବା ସିଆର୍ପି ଛକ ହୋଇ ଯାଇପାରିବେ। ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହୋଇନାହିଁ।

ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ୧୧ ଡିସିପି ପାହ୍ୟାର ଅଧିକାରୀଙ୍କ ସହ ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ। ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି।

Leave A Reply

Your email address will not be published.