Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା କ’ଣ? କେଉଁ ମହିଳାଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ। ପ୍ରତ୍ୟେକ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇବେ। ଏହାପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏଁ ପଠାଇଛନ୍ତି। ଏନେଇ ସେମାନଙ୍କ ମୋବାଇଲକୁ କନଫର୍ମେସନ ମେସେଜ ଯାଇଛି। ମେସେଜ୍‌ ପାଇ ନ ଥିବା ହିତାଧିକାରୀ ବି ସୁଭଦ୍ରା ସହାୟତା ଅର୍ଥ ପାଇ‌ବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁଭଦ୍ରା ଯୋଜନା କ’ଣ?

ମହିଳାଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି। ତେବେ ଏହି ୫୦ ହଜାର ଟଙ୍କା ୧୦ଟି କିସ୍ତିରେ ପ୍ରଦାନ କରାଯିବ। ବାର୍ଷିକ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ପାଇବେ ମହିଳା। ୫ ବର୍ଷରେ ୫୦ ହଜାର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଯୋଗ୍ୟ ହିତାଧିକାରୀ ହୋଇଥିବା ଗୋଟିଏ ଘରର ସମସ୍ତ ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।

ମୋଦିଙ୍କ ଜନ୍ମଦିନରେ କିଏ ପାଇବେ ଟଙ୍କା?

ସୁଭଦ୍ରା ଯୋଜନା ଅଧୀନରେ ୨୧ବର୍ଷରୁ ଅଧିକ ଓ ୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ମଧ୍ୟରେ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ। ଦୁଇଟି ସମାନ କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଯିବ। ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି, ଆଜି ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

ଯେଉଁମାନେ ୧୭ତାରିଖ ପରେ ଆବେଦନ କରିବେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯିବ। ଯେଉଁମାନେ ଆବେଦନ କରି ନାହାନ୍ତି ସେମାନେ ବିବ୍ରତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କ ଆକାଉଣ୍ଟକୁ ମଧ୍ୟ ସୁଭଦ୍ରା ଟଙ୍କା ଯିବ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ଆବେଦନ ସୁଯୋଗ ରହିବ ବୋଲି କହିଛନ୍ତି।

କେଉଁ ମହିଳାଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା?

୧. ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ମହିଳା ଓଡ଼ିଶାର ବାସିନ୍ଦା ହୋଇଥିବେ।

୨. ଆବେଦନ କରିଥିବା ମହିଳାଙ୍କ ବୟସ ୨୧ରୁ ୬୦ ମଧ୍ୟରେ ହୋଇଥିବ।

୩. ବୟସ ୧ ଜୁଲାଇ ୨୦୨୪ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ।

୪. ଆଧାରକାର୍ଡ଼ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।

୫. ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୨ଟି କିସ୍ତି ହିସାବରେ ୧୦ ହଜାର ଟଙ୍କା ମିଳିବ।

Leave A Reply

Your email address will not be published.