Odisha Link
Bridging the Missing Links in Odisha

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବାଣ୍ଟିବେ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ୭୪ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ମୋଦିଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟୀ ଅନେକ ପ୍ରକାରର କାର୍ଯ୍ୟକ୍ରମର ଯୋଜନା କରିଛି। ଏସବୁ ମଧ୍ୟରେ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି।

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ। ପ୍ରତ୍ୟେକ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇବେ। ଏହାପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏଁ ପଠାଇଛନ୍ତି। ଏନେଇ ସେମାନଙ୍କ ମୋବାଇଲକୁ କନଫର୍ମେସନ ମେସେଜ ଯାଇଛି। ମେସେଜ୍‌ ପାଇ ନ ଥିବା ହିତାଧିକାରୀ ବି ସୁଭଦ୍ରା ସହାୟତା ଅର୍ଥ ପାଇ‌ବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୋଦିଙ୍କ ଜନ୍ମଦିନରେ କିଏ ପାଇବେ ଟଙ୍କା?

ସୁଭଦ୍ରା ଯୋଜନା ଅଧୀନରେ ୨୧ବର୍ଷରୁ ଅଧିକ ଓ ୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ମଧ୍ୟରେ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ। ଦୁଇଟି ସମାନ କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଯିବ। ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି, ଆଜି ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

ଯେଉଁମାନେ ୧୭ତାରିଖ ପରେ ଆବେଦନ କରିବେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯିବ। ଯେଉଁମାନେ ଆବେଦନ କରି ନାହାନ୍ତି ସେମାନେ ବିବ୍ରତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କ ଆକାଉଣ୍ଟକୁ ମଧ୍ୟ ସୁଭଦ୍ରା ଟଙ୍କା ଯିବ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ଆବେଦନ ସୁଯୋଗ ରହିବ ବୋଲି କହିଛନ୍ତି।

Leave A Reply

Your email address will not be published.