Odisha Link
Bridging the Missing Links in Odisha

ଆମେ ପ୍ରତିଶ୍ରୁତି ଦେଇଥିଲୁ, ଦ୍ରୁତ ଗତିରେ ପୂରଣ କରୁଛୁ: ମୋଦି

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଛନ୍ତି।

ସେ କହିଛନ୍ତି, ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଗ୍ରିମ ଶାରଦୀୟ ଶୁଭେଚ୍ଛା। ଜଗନ୍ନାଥଙ୍କ କୃପାରୁ ପୁଣି ଥରେ ମତେ ଓଡ଼ିଶା ଆସିବାର ସୁଯୋଗ ମିଳିଲା। ଯେତେବେଳେ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ମିଳେ, ସେତେବେଳେ ଭଗବାନଙ୍କ ସେବା ସହ ଜନତା ଜନାର୍ଦ୍ଦନଙ୍କ ସେବା କରିବାକୁ ସୁଯୋଗ ମିଳେ।

ସାରା ଦୁନିଆଁରେ ଭାରତ ହିଁ ଏମିତି ଏକ ସ୍ଥାନ, ଯେଉଁଠୁ ଶ୍ରମ ଓ କୌଶଳକୁ ବିଶ୍ୱକର୍ମାଙ୍କ ରୂପରେ ପୂଜା କରାଯାଏ। ଆଜି ଏମିତି ଏକ ପବିତ୍ର ଦିନରେ ମତେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା। ମହାପ୍ରଭୁଙ୍କ କୃପାରୁ ମାତା ସୁଭଦ୍ରାଙ୍କ ନାମରେ ଯୋଜନା ହୋଇଛି, ଏବଂ ସ୍ୱୟଂ ଇନ୍ଦ୍ର ଦେବତା ଆଶୀର୍ବାଦ ଦେବାକୁ ପହଂଚିଛନ୍ତି।

ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା। ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା। ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗତଥର ମୁଁ ଶପଥ ଗ୍ରହଣ ସମାରୋହରେ ଆସିଥିଲି। ନିର୍ବାଚନ ବେଳେ ମୁଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶା ବିକାଶର ଶିର୍ଷତା ଛୁଇଁବ ବୋଲି କହିଥିଲି। ଯେଉଁ ସ୍ବପ୍ନ ଆପଣମାନେ ଦେଖିଛନ୍ତି, ତାହା ପୂରଣ ହେବା ନେଇ ମୋର ବିଶ୍ୱାସ ରହିଛି। ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ତାହାକୁ ଦ୍ରୁତ ଗତିରେ ପୂରଣ କରୁଛୁ।

ମନ୍ଦିର ଚାରିଦ୍ୱର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାର ଲୋକଙ୍କୁ ପାଖକୁ ଯାଇ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରୁଛନ୍ତି। ଏଥିପାଇଁ ମୁଁ ମୋ ଓଡ଼ିଶାର ଟିମର ଭରପୁର ପ୍ରଶଂସା କରୁଛି। ଆଜି କେନ୍ଦ୍ରରେ ଏଣ୍ଡିଏ ସରକାର ମଧ୍ୟ ୧୦୦ ଦିନ ପୂରଣ ହେଉଛି। ଗରିବ, କିଷନ ଏବଂ ନାରୀ ଶସକ୍ତିକାରଣ କ୍ଷେତ୍ରରେ ବଡ଼ ବଡ଼ ପଦକ୍ଷେପ ନିଆଯାଇଛି।

ନୂଆ ମେଡିକାଲ ସିଟ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ୨୫ ହଜାର ଗାଁକୁ ପକ୍କା ସଡ଼କ ଯୋଜନାକୁ ମଞ୍ଜୁରୀ ମିଳିଛି। ଜନଜାତି ବଜେଟରେ ୨ ଗୁଣା ବୃଦ୍ଧି କରାଯାଇଛି। ୬୦ ହଜାର ଆଦିବାସୀ ଗ୍ରାମର ବିକାଶ ପାଇ ବିଶେଷ ବ୍ୟବସ୍ଥା ରହିଛି। ସରକାରୀ କର୍ମଚାରୀଙ୍କ ପାଇଁ ଆକର୍ଷଣୟ ପେନସନ ବ୍ୟବସ୍ଥା ରହିଛି। ୧୦୦ ଦିନରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି।
ଖରିଫ ଫସଲରେ ଏମଏସପି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।

କୌଣସି ଦେଶ ରାଷ୍ଟ୍ର ସେତେବେଳେ ଆଗକୁ ବଢିବ, ସେତେବେଳେ ନାରିଶକ୍ତିର ସମାନ ଭାଗିଦାରୀ ରହିଥିବ। ମହିଳାଙ୍କ ସଶକ୍ତିକରଣ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ। ଏହିକ୍ରମରେ ସୁଭଦ୍ରା ଯୋଜନା ଲାଗୁ କରାଯାଇଛି। ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ବ ମହିଳା ଉପକୃତ ହେବେ। ସୁଭଦ୍ରା ଯୋଜନା ଓଡ଼ିଶାର ମା ଓ ଭଉଣୀଙ୍କୁ ସଶକ୍ତ କରୁ। ମା ସୁଭଦ୍ରାଙ୍କ ନିକଟରେ ଏହା ମୋ ପ୍ରାର୍ଥନା। ମୁଁ ଆଜି ଜଣେ ମା ଙ୍କୁ ଆଜି ଗୃହ ପ୍ରବେଶ କରାଇଲି। ତାଙ୍କ ହାତରୁ ମୁଁ ଯେତେବେଳେ ଖିରି ଖାଉଥିଲି, ମୋ ମାଙ୍କ କଥା ମୋର ମନେ ପଡ଼ୁଥିଲା। ଆଜି ଜଣେ ମା ମୋତେ ଖିରି ଖୁଆଇ ମୋତେ ମୋ ଜନ୍ମଦିନର ଶୁଭେଚ୍ଛା ଦେଲେ।

କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ପ୍ରାଥମିକତା ରହିଛି। ୧୦ ବର୍ଷ ତଳେ କେନ୍ଦ୍ରରୁ ଓଡିଶାକୁ ଯେତେ ଟଙ୍କା ମିଳୁଥିଲା, ଆଜି ତାହାର ୩ ଗୁଣା ମିଳୁଛି। ଓଡ଼ିଶା ନିକରେ ସୁଦୀର୍ଘ ସମୁଦ୍ର ବେଳାଭୂମି, ପ୍ରାକୃତିକ ସମ୍ପଦ ରହିଛି। ଓଡ଼ିଶାର ବିକାଶ କ୍ଷେତ୍ରରେ ଏହାର ସୁବିନିଯୋଗ କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଏବଂ ସଡ଼କ ଭିତ୍ତିଭୂମିକୁ ନୂଆ ଉଚ୍ଚତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.