Odisha Link
Bridging the Missing Links in Odisha

ଚନ୍ଦ୍ର, ମଙ୍ଗଳ ପରେ ଶୁକ୍ର ମୁହାଁ ଭାରତ; ଭୋମ୍‌କୁ ମଞ୍ଜୁରୀ ଦେଲେ ଭାରତ ସରକାର

ଓଏଲ୍‌ ବ୍ୟୁରୋ: ମିଶନ ଚନ୍ଦ୍ର ପରେ ଏବେ ଭାରତର ନଜର ଶୁକ୍ର ଗ୍ରହ ଉପରେ। ଭାରତର ମହାକାଶ ଅନ୍ବେଷଣ ଅଭିଯାନକୁ ନୂଆ ବୁଷ୍ଟର ଡୋଜ ଦେଇଛନ୍ତି ଭାରତ ସରକାର। ଚନ୍ଦ୍ରଯାନ-୪ ମିଶନକୁ ଗ୍ରୀନ୍‌ ସିଗନାଲ ମିଳିଥିବା ବେଳେ ପୃଥିବୀର ନିକଟତର ଗ୍ରହ ଶୁକ୍ର ପ୍ରଦକ୍ଷିଣ ଅଭିଯାନ ବା ଭେନସ୍‌ ଅର୍‌ବିଟର୍‌ ମିଶନ (ଭୋମ)କୁ ମଂଜୁରୀ ପ୍ରଦାନ କରିଛନ୍ତି।

ଭାରତର ମହାକାଶ ମନ୍ତ୍ରଣାଳୟ ତରଫରୁ ଏହି ଅଭିଯାନ ଆରମ୍ଭ ହେବ। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ୨୦୨୮ ମାର୍ଚ୍ଚ ମାସରେ ଶୁକ୍ରଯାନ ମହାକାଶକୁ ଉତ୍‌କ୍ଷେପିତ ହେବ। ଏହି ଅଭିଯାନରେ ମୋଟ ୧୨୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୮୨୪ କୋଟି ଟଙ୍କା ଶୁକ୍ର ପ୍ରଦକ୍ଷିଣ ପାଇଁ ଯାନ ତିଆରିରେ ଖର୍ଚ୍ଚ ହେବ। ଭାରତର ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏହି ଯାନ ତିଆରି ଓ ଉତକ୍ଷପେଣର ଦାୟିତ୍ୱ ନେବ।

ଏଯାବତ ଜଣାଥିବା ତଥ୍ୟ ଅନୁସାରେ ଏକଦା ଶୁକ୍ର ଜୀବଜଗତ ପାଇଁ ବାସୋପଯୋଗୀ ଥିଲା। ମାତ୍ର, ଇତିମଧ୍ୟରେ ଏଥିରେ ଅନେକ କିଛି ପରିବର୍ତ୍ତନ ଘଟିଛି। ଏହାକୁ ପୃଥିବୀ ଯାଆଁଳା ଭାଇ କୁହାଯାଏ। କାରଣ ଏହା ପୃଥିବୀର ସବୁଠୁ ନିକଟତର ଗ୍ରହ। ଶୁକ୍ର ସଂପର୍କରେ ଅନୁସନ୍ଧାନରୁ ଅନେକ ଉପାଦେୟ ତଥ୍ୟ ମିଳିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପୂର୍ବରୁ ଭାରତ ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ସାରିଛି। ଶୁକ୍ର ପ୍ରଦକ୍ଷିଣ ଅଭିଯାନ ସଫଳ ହେଲେ ଭାରତ ବିଶ୍ୱର ଏକ ସମ୍ଭ୍ରାନ୍ତ ବର୍ଗରେ ସ୍ଥାନ ପାଇବ।

Leave A Reply

Your email address will not be published.