ଏକକ ନିର୍ବାଚନ କ’ଣ? ଦେଶର ବିକାଶରେ ଏହାର ଭୂମିକା କେତେ ଜାଣନ୍ତୁ…
ଓଏଲ୍ ବ୍ୟୁରୋ: ଦେଶରେ ଏକକ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ତେବେ ୱାନ୍ ନେସନ୍ ୱାନ୍ ପୋଲ୍କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଏନେଇ ସଂସଦର ଆଗାମୀ ଶୀତ ଅଧିବେଶନରେ ସରକାର ବିଲ ଆଣିବେ।
ଏକକ ନିର୍ବାଚନ କ’ଣ?
ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସରଳରେ କହିଲେ, ଗୋଟିଏ ଦେଶରେ ଗୋଟିଏ ଥରରେ ନିର୍ବାଚନ ହେବା। ସ୍ଵିଡେନ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ଆଲବେନିଆ, ହଙ୍ଗେରୀ ଓ ବେଲଜିୟମ ଭଳି ସ୍ଥାନରେ ଏକ ନିର୍ବାଚନ ହୋଇଥାଏ। ତେବେ ଭାରତରେ ଏକକ ନିର୍ବାଚନ ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିବାବେଳେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଏ ଦିଗରେ ଆଉ ପାଦେ ଆଗକୁ ବଢିଛି।
ଏକକ ନିର୍ବାଚନ ହେଲେ ଲାଭ କ’ଣ?
ବାରମ୍ଵାର ନିର୍ବାଚନ ଯୋଗୁଁ ଓ ବିଭିନ୍ନ ସମୟରେ ମତଦାନ ପ୍ରଶାସନିକ ବ୍ୟବସ୍ଥାର ଗତିକୁ ଯଥେଷ୍ଟ ମନ୍ଥର ହୋଇଯାଏ ବୋଲି କୁହାଯାଉଛି। ଅଧିକାରୀମାନେ ମତଦାନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସାଧାରଣ ପ୍ରଶାସନିକ କାମ ଘୋର ପ୍ରଭାବିତ ହୋଇଥାଏ। ଗୋଟିଏ ନିର୍ବାଚନ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମରେ ନିରନ୍ତରତା ସୁନିଶ୍ଚିତ କରିବାରେ ସହାୟକ ହେବ ବୋଲି କୁହାଯାଉଛି।
ବର୍ତ୍ତମାନ ଯେତେବେଳେ ବି ଦେଶ ଓ ରାଜ୍ୟମାନେ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଉଛି। ଫଳରେ ସେହି ସମୟ ମଧ୍ୟରେ ଜନକଲ୍ୟାଣ ପାଇଁ ନୂତନ ପ୍ରକଳ୍ପ ଆରମ୍ଭ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଦେଶର ସମ୍ବଳକୁ ବଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଥିସହିତ ବିକାଶର ଗତି ମଧ୍ୟ ତା ବାଟରେ ଚାଲିବ।
ସୂଚନା ଅନୁସାରେ, ୧୯୬୭ ମସିହା ପର୍ଯ୍ୟନ୍ତ ଭାରତରେ ରାଜ୍ୟ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ହେବା ଏକ ସାଧାରଣ କଥା ଥିଲା। ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୬୭ ପରେ ବିଭିନ୍ନ ସମୟରେ ଲୋକସଭା ଓ ବିଧାନସଭା ଭଙ୍ଗ ହେବାରୁ ଏହି ଧାରା ଭାଙ୍ଗି ଯାଇଥିଲା। ୧୯୬୮ ଓ ୧୯୬୯ରେ କେତେକ ବିଧାନସଭା ଏବଂ ୧୯୭୦ରେ ଲୋକସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ ହୋଇଥିଲା।
ଏହାର ଏକ ଦଶନ୍ଧି ପରେ ୧୯୮୩ ମସିହାରେ ନିର୍ବାଚନ ଆୟୋଗ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ତତ୍କାଳୀନ ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ ବୋଲି କମିଶନ ତାଙ୍କ ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୧୯ର ଆଇନ ଆୟୋଗ ରିପୋର୍ଟରେ ମଧ୍ୟ ଏକାସାଙ୍ଗରେ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗକୁ ଜୋର ଦେଇଆସିଥିବାବେଳେ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପରେ ସରକାର ଆଇନ ପ୍ରଣୟନ କରି ସଂସଦରେ ବିଲ ଆଣିବାକୁ ପଦକ୍ଷେପ ନେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।