Odisha Link
Bridging the Missing Links in Odisha

ୟୁଜିସିର କଡ଼ା ନିର୍ଦ୍ଦେଶ: କଲେଜ କ୍ୟାମ୍ପସକୁ ନିଶାଦ୍ରବ୍ୟ ମନା

ଓଏଲ୍‌ ବ୍ୟୁରୋ: ଶିକ୍ଷା ପରିସରକୁ ନିଶା ମୁକ୍ତ ଓ ତମାଖୁ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତଥାପି କଲେଜ କ୍ୟାମ୍ପସ ପରିସରରେ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ଅନେକ ଘଟଣା ସାମ୍ନାକୁ ଆସୁଛି। ଏସବୁକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ୟୁଜିସି ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଶିକ୍ଷା ପରିସରକୁ ନିଶା ମୁକ୍ତ ଓ ତମାଖୁ ମୁକ୍ତ କରିବା ପାଇଁ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକୁ ଚିଠି ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧିନସ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ନିଶାମୁକ୍ତ କଲେଜ କ୍ୟାମ୍ପସ ଅଭିଯାନ ଆରମ୍ଭ ପାଇଁ ନିର୍ଦ୍ଦେଶ ରହିଛି।

ସୂଚନା ଅନୁସାରେ, କ୍ୟାମ୍ପସକୁ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଅଧୀନରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି। ଆଇନ ଅନୁଯାୟୀ କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରାଯିବାକୁ କଡ଼ା ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.