Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଭିତରକନିକାରେ ବଢ଼ିଲା ଦେଶୀୟ ପକ୍ଷୀଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୨୩,୮୬୭ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହିସଂଖ୍ୟା ୧,୩୦,୧୨୩କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଗତ ବର୍ଷଠାରୁ ଚଳିତ ବର୍ଷ ୬୨୫୬ ଅଧିକ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଚଳିତ ବର୍ଷ ୧୩୦୦ ଗଛରେ, ୨୭୨୮୨ ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଗତ ୯ ତାରିଖରୁ ୧୩ ଯାଏ ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ବାଲିଡିଆ ଆଇଲ୍ୟାଣ୍ଡରେ ପକ୍ଷୀ ଗଣନା କରାଯାଇଥିଲା। ଭିତରକନିକା ଇତିହାସରେ ଦ୍ୱିତୀୟ ଥର ପାଇଁ ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ ସହ ତା’ର ଗଣନା କରାଯାଇଛି।

ସୂଚନା ଥାଉକି, ୨୦୨୩ରେ ୧୭୬୦ଟି ଗଛରେ ୨୬୧୧୮ଟି ବସା ଗଣନା ହୋଇଛି। ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ, ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟବଗ, ଖଇରା ବଗ, ମାଟିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ ଆଦି ପକ୍ଷୀଙ୍କ ଚିହ୍ନଟ କରାଯାଇଛି।

୨୦୧୬ ମସିହାରୁ ମଠଆଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିଲେ। ଗତ ୩ ବର୍ଷ ହେଲା ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧି ଆସୁଥିଲେ। ମାତ୍ର ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପନର ପ୍ରଭାବରେ ଦେଶୀୟ ପକ୍ଷୀମାନଙ୍କର ଖାଦ୍ୟ ଏବଂ ବାସସ୍ଥାନ ଉପଯୁକ୍ତ ନ ହେବାରୁ ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ପ୍ରଥମ ଥର ପାଇଁ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଠାବ କରାଯାଇଛି।

Leave A Reply

Your email address will not be published.