Odisha Link
Bridging the Missing Links in Odisha

ସଂକଳ୍ପ ପତ୍ର ଆମର ଧର୍ମଗ୍ରନ୍ଥ: ମୋହନ ଚରଣ ମାଝୀ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଥିଲା ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହୋଇଛନ୍ତି। ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସଂକ୍ରଳ୍ପ ପତ୍ର ଆମର ଧର୍ମଗ୍ରନ୍ଥ। ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ। ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ‘ପ୍ରଗତିର ନୂତନ ସୂର୍ଯ୍ୟୋଦୟ’ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା। ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା। ଭୋଟ୍ ରାଜନୀତି ପାଇଁ ମହାପ୍ରଭୁଙ୍କୁ ବ୍ୟବହାର କରିଥିଲେ ପୂର୍ବ ସରକାର। ଏହାଠୁ ନିଚ୍ଚ କାର୍ଯ୍ୟ ଆଉ କ’ଣ ହୋଇପାରେ। ଆମ ଦଳର ନେତୃବୃନ୍ଦ ଲୋକଙ୍କ ମତକୁ ଗୁରୁତ୍ୱ ଦେଇ ସଂକଳ୍ପପତ୍ର ତିଆରି କରିଥିଲେ ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ ବୋଲି ଶ୍ରୀ ମାଝୀ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ରୁ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

୮୦ ବର୍ଷ ବୟସ୍କ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନସନ ବ୍ୟବସ୍ଥା କରିସାରିଛୁ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ନିଷ୍ପତି ନିଆଯାଇଛି। “ଆମ ସରକାର-ଲୋକଙ୍କ ସରକାର” ଜନଶୁଣାଣୀକୁ ଅଗ୍ରାଧିକାର ଦେଇଛି।

କୃଷି କ୍ଷେତ୍ରରେ ଚଳିତ ବଜେଟ୍‌ରେ “ସିଏମ କିଶାନ ସମ୍ମାନ ଯୋଜନା”ରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ ନିଷ୍ପତି ହୋଇସାରିଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ। ଖାଲି ପଡିଥିବା ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶକୁ ଗୁରତ୍ୱ ଦିଆଯାଇଛି।

୧୦୦ ଦିନର ସଂକଳ୍ପ ପତ୍ରରେ ଯେଉଁ ଯେଉଁ ନିଷ୍ପତି ନିଆଯାଇଛି ସେ ସବୁର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇସାରିଛି। କେନ୍ଦ୍ରସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରାଜ୍ୟର ବିକାଶ କରାଯିବ। ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଜି ପୁରୀ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଗତିର ନୂତନ ସୂର୍ଯ୍ୟ ଉଦୟ ଲକ୍ଷ ନେଇ ଆଗାମୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ନେଇ ଆଜି ଏହି ବୈଠକ କରାଯାଇଛି।ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ, ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ମିଳିବ। ଯାହା ବର୍ତ୍ତମାନ ରାଜ୍ୟ ସରକାର କରିକି ଦେଖାଇଛନ୍ତି। ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ୧୦୦ ଦିନରେ ୭୧ଟି ମାମଲା ରୁଜୁ ହୋଇଛି। ୫୮ ଜଣ ଗିରଫ ହୋଇଛନ୍ତି।

Leave A Reply

Your email address will not be published.