ଭରତପୁର ଥାନା କାଣ୍ଡ: ତଦନ୍ତ ଦାବି କଲେ ନବୀନ, ମୁହଁ ଖୋଲିଲେ ବିଜୟ
ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ସେନାର ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପଟେ ଏହି ମାମଲାକୁ ରାଜନୀତି ହେବାରେ ଲାଗିଛି। ଏହି ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦିଆ ଯାଇଥିବା ଯୌନ ନିର୍ଯାତନା ଘଟଣା ଅତି ନିନ୍ଦନୀୟ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡି ପଡିଛି। ଆଇନଶୃଙ୍ଖଳା ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ନବୀନ। ଭରତପୁର ଥାନାରେ ଯାହା ବି ଘଟିଲା ତାହା ନିନ୍ଦନୀୟ। ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ୱାବଧାନରେ ଏସ୍ଆଇଟି ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।
ସେହିପରି ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ନୀରବତାକୁ ସମାଲୋଚନା କରିଛନ୍ତି ନବୀନ। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ସେ କହିଛନ୍ତି। ଏସବୁ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜୟ ପଟ୍ଟନାୟକ କହିଛନ୍ତି, କ୍ରାଇମବ୍ରାଞ୍ଚକୁ ଭରତପୁର ମାମଲା ହସ୍ତାନ୍ତର ପରେ ବି ଏଯାଏଁ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି। ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।