Odisha Link
Bridging the Missing Links in Odisha

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ-ଦୋଷୀକୁ ଛଡ଼ାଯିବନି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଭରତପୁର ଥାନାରେ ସେନାର ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣା। ଭରତପୁର ଥାନେ କାଣ୍ଡ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିବା ପରେ ରାଜ୍ୟ ରାଜନୀତି ସରଗରମ। ଏହି ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି, ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣାରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇ ମାମଲା ରୁଜୁ କରାଯାଇଛି। ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ଘଟଣାରେ ଲିଙ୍କ୍‌ ଥିବା ୭ ଜଣ ରୋଡ୍‌ ରୋମିଓଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ସେପଟେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଶନିବାର ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେବ ସ୍ମାରକ ପତ୍ର। ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେଡି। ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ। ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ? ବୋଲି ପ୍ରଶ୍ନ କରିଛି ଦଳ।

ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଭିତରେ କମିସନରେଟ୍ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି।

ସୂଚନାଥାଉକି,୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ। ସେଠାରେ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ବେଳେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୁଲିସ। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ।

Leave A Reply

Your email address will not be published.