Odisha Link
Bridging the Missing Links in Odisha

ଶନିବାରଠୁ ରତ୍ନଭଣ୍ଡାର ସର୍ଭେ, ୩ ଦିନ ଅପରାହ୍ନରେ ବନ୍ଦ ରହିବ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ଆସନ୍ତକାଲିଠୁ ପୁଣି ଚାଲିବ ରତ୍ନଭଣ୍ଡାର ସର୍ଭେ। ୨୧, ୨୨ ଓ ୨୪ ତାରିଖରେ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଏଏସଆଇ ପକ୍ଷରୁ ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଏଥିପାଇଁ ଦିନ ୨ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି। ଏହି ସମୟରେ ପ୍ରଭୁଙ୍କ ନୀତିକାନ୍ତି ହେବ ହେଲେ ସାଧାରଣ ଦର୍ଶନ ବନ୍ଦ ରହିବ। ଯାହାଫଳରେ ଆଗାମୀ ୩ ଦିନ ଯାଏ ଅପରାହ୍ନ ସମୟରେ ଜଗା ଦର୍ଶନ ବନ୍ଦ ରହିବ। ଆସନ୍ତା ସେପ୍ଟେମ୍ଵର ୨୪ ତାରିଖ ସୁଦ୍ଧା ସର୍ଭେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବୈଷୟିକ ସର୍ଭେ କରାଯିବ। ତେଣୁ ଏହି ତିନି ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବା ପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଥିବା ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ।

ସୂଚନାଥାଉକି, ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି। ତାପରେ ଏଏସଆଇକୁ ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା।

ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ବେକ୍ଷଣ ସରିବା ପରେ ଏଏସ୍‍ଆଇ ମରାମତି କାର୍ଯ୍ୟ ମରାମତି କାର୍ଯ୍ୟ ଗ୍ରହଣ କରିବେ। ପୂର୍ବରୁ ସରକାରଙ୍କ ଅନୁମୋଦିତ କାର୍ଯ୍ୟକ୍ରମ ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି । ଏ.ଏସ୍.ଆଇ ମରାମତି କାର୍ଯ୍ଯ ଶେଷ କରିବା ପରେ ଅଳଙ୍କାର ଗଣତି ତଥା ମଣତି କରାଯାଇ ପାରିବ।

Leave A Reply

Your email address will not be published.