ବନ୍ଧା ହେଲେ କୋଟିପତି ମୁଖ୍ୟଯନ୍ତ୍ରୀ

ଓଏଲ୍ ବ୍ୟୁରୋ: ଗିରଫ ହେଲେ କୋଟିପତି ମୁଖ୍ୟଯନ୍ତ୍ରୀ। ଆଜି ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍.ଭି ହରିହର ରାଓଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟନ୍ତ୍ରୀଙ୍କ ଘରେ ତନାଘନା କରୁଥିଲା ଭିଜିଲାନ୍ସ। ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ସମୟରେ ହରିହର ବ୍ୟାଙ୍କରେ ୧.୧୧ କୋଟି ଟଙ୍କା ଜମା ରଖିବା ସହ ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ତାଙ୍କ ଶଳାଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।
ହରିହର ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି। ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚକେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ୱର ଥିବା ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘର ଓ କେନ୍ଦୁଝର ବଳଦେବଜିଉ କଲୋନୀରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକ କାଳୀନ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ।