ଭରତପୁର କାଣ୍ଡ: ଗଣମାଧ୍ୟମରେ ମେଜର ଓ ବାନ୍ଧବୀଙ୍କ ନାଁ ପ୍ରକାଶ କରିବାକୁ ବାରଣ
ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରାଯାଇଛି। ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଉପୋରକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି।
ଏହି ଘଟଣାରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ ହେବନାହିଁ, କମିଶନ ଦଣ୍ଡ ପ୍ରଦାନ ଅଧିକାରୀ ନୁହେଁ। ଏଥିରେ ଘଟଣାରେ ସଂପୃକ୍ତ ବିଭିନ୍ନ ପକ୍ଷଙ୍କ ଭୂମିକା ବିଷୟରେ ତଦନ୍ତ ହୁଏ। କମିଶନର ତଦନ୍ତ ରିପୋର୍ଟ ଗ୍ରହଣ କରିବେ କି ନାହିଁ ତା’ ସରକାରଙ୍କ ଇଚ୍ଛା। ସୋସିଆଲ ମିଡିଆ ନିଜକୁ ଗଭୀର ସମୁଦ୍ର ଭାବୁଛନ୍ତି। କୌଣସି ଝିଅ ବିଷୟରେ କିଛି ନଜାଣି ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ। ସୋସିଆଲ ମିଡିଆ ଓ ମିଡିଆର ପ୍ରି ଟ୍ରାଏଲ୍ ଜଣେ ବିଚାରପତିଙ୍କ ଉପରେ ଚାପ ପକାଏ। ଜନ ସାଧାରଣକୁ ଅପିଲ ସୋସିଆଲ ମିଡିଆରେ ସେ ଝିଅ ପ୍ରତି ଅଶାଳୀନ ମନ୍ତବ୍ୟ ଦିଅନ୍ତୁନି ବୋଲି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ କହିଛନ୍ତି।