Odisha Link
Bridging the Missing Links in Odisha

ବିଜେଡି ପରାଜୟକୁ ନେଇ ବଢ଼ିଲା ଚର୍ଚ୍ଚା, ବିଧାୟକ କହିଲେ-ନବୀନ ବୁଲିଲେନି…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଥିଲା ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜ ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି।

ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳ ପରାଜୟର ଏସବୁ କାରଣ ପ୍ରତି ନେତାମାନେ ଅବଗତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝୀ ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହା ବିଜେଡି ରାଜନୀତିକୁ ଉଷ୍ମ କରିଥିବାବେଳେ ବିଧାୟକ ବଦ୍ରି ପାତ୍ର ବଡ଼ ବୟାନ ଦେଇଛନ୍ତି।

ପ୍ରଦୀପ ମାଝୀଙ୍କ ପରେ ବିଧାୟକ ବଦ୍ରି ପାତ୍ର କହିଛନ୍ତି, ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା।ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି। ନବୀନ ସମୟ ଦେଇନପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା। ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଥିବା ବିଧାୟକ ବଦ୍ରି ପାତ୍ର କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ନେତା, କର୍ମୀ ଓ ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଲେ ନବୀନ। ଏହି ଦୁଇ ଜିଲ୍ଲାରେ ବିଜେଡି କାହିଁକି ନିର୍ବାଚନ ହାରିଲା, ତା’ ପଛର କାରଣ କ’ଣ ବୋଲି ପଚାରିଥିଲେ ନବୀନ? ନିର୍ବାଚନ ହାରିବାର ୩ ମାସ ପରେ ପ୍ରଦୀପ ମାଝୀ ନବୀନଙ୍କ ସମ୍ମୁଖରେ ପରାଜୟର କାରଣ ରଖିଥିଲେ।

ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ମେଣ୍ଟ ପ୍ରଚାର ଯୋଗୁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ୱସନୀୟତା ହରାଇଲୁ। ଦଳରେ ମଧ୍ୟରେ ଥିବା ଅନ୍ତଃ କନ୍ଦଳ। ଦଳରେ ଜଣେ ନେତା ଓ ଅନ୍ୟ ନେତାଙ୍କର ଚେର କାଟିବାକୁ ସବୁବେଳେ ଚେଷ୍ଟା କରୁଥିଲେ।

ନେତାଙ୍କ ଭିତରେ ଥିବା ଅନ୍ତର୍ଘାତୀ କାର୍ଯ୍ୟକଳାପ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି ପ୍ରଦୀପ। ଖରାପ ନିର୍ବାଚନ ପରିଚାଳନା ଯୋଗୁ ଦଳ ହାରିଲା। ଏଥିସହ ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍ ନଥିଲା ବୋଲି ନବୀନଙ୍କ ସମ୍ମୁଖରେ କହିଛନ୍ତି ପ୍ରଦୀପ। ଏହି ୩ଟି କାରଣ ଯୋଗୁ ଦଳ ନବରଙ୍ଗପୁରରେ ପରାଜୟ ହୋଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି।

Leave A Reply

Your email address will not be published.