୧୦୦ ଦିନର ସରକାରକୁ ବିଜେଡିର ଟାର୍ଗେଟ, କହିଲେ ଏହି କଥା…
ଓଏଲ୍ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଥିଲା ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରୁଛି। ବିଜେପି ୧୦୦ ଦିନରେ ପ୍ରତିଶୃତି ପାଳନ କରିଥିବା କହୁଥିବାବେଳେ ବିଜେଡି ଏହାକୁ କଟାକ୍ଷ କରିଛି। ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ବିଜେଡି କହିଛି, ୮୮୬୦ ଦିନ କାମ କରିଥିଲେ ନବୀନ ପଟ୍ଟନାୟକ। ଏବେ ୧୦୦ ଦିନର ସରକାର କହୁଛନ୍ତି ନବୀନଙ୍କ ୨୪ବର୍ଷ କାଳରେ କାମ ହୋଇନି। କିନ୍ତୁ ସେମାନେ ଭୁଲିଯାଉଛନ୍ତି କି ଓଡ଼ିଶାର ସଫଳତାରେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ୱର୍କିଙ୍ଗ ପେପର ପ୍ରକାଶ ପାଇଥିଲା। ଯାହା ନବୀନ ସମୟ ପାଇଁ ଗର୍ବ ଆଣିଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ କହିଛନ୍ତି ଯେ ଦେଶର ମୁଣ୍ଡ ପିଛା ଆୟ ତୁଳନାରେ ଓଡ଼ିଶା ଭଲ। ଏହି ପେପରରେ ୨୦୦୦ରୁ ୨୦୨୪ ମଧ୍ଯରେ ଅର୍ଥନୈତିକ ପରିବର୍ତ୍ତନ ସଂକ୍ରାନ୍ତ ତଥ୍ଯ ପ୍ରକାଶ ପାଇଛି। ଏହି ପେପରରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରାଯାଇଛି। ମୁଣ୍ଡପିଛା ଆୟର ଦ୍ରୁତ ଅଭିବୃଦ୍ଧି କରିବାରେ ଗତ ଦୁଇ ଦଶନ୍ଧିରେ ଓଡିଶା ପ୍ରଥମ ବୋଲି ପ୍ରକାଶ ପାଇଛି।
୨୦୦୦ ପୂର୍ବରୁ ଆରବିଆଇରେ ଓଡ଼ିଶାର ୧୪୪ କୋଟି ଓଭରଡ୍ରାଫ୍ଟ ଥିଲା। ସରକାରୀ କର୍ମଚାରୀ ଦରମା ପାଉ ନଥିଲେ। କିନ୍ତୁ ୨୪ ବର୍ଷରେ ସେହି ଦେବାଳିଆ ରାଜ୍ୟ ଅର୍ଥନୈତିକ ଶୃଙ୍ଖଳାରେ ପହଞ୍ଚିପାରିଛି। ପୁରୁଣା ସରକାର ଯେଉଁ ସବୁ ନୀତି ଓ ଯୋଜନା କରିଥିଲା, ତାକୁ ରଙ୍ଗ ଓ ନାଁ ପରିବର୍ତ୍ତନ ନକରି, ସେହି କାମ ବର୍ତ୍ତମାନ ସରକାର ଜାରି ରଖିଲେ, ରାଜ୍ୟର ପ୍ରଗତି ହେବ।
ଯୋଜନା ବନ୍ଦ କଲେ, ଭବିଷ୍ୟତ ଫଳାଫଳ ଭଲ ହେବନି। କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ଦରବୃଦ୍ଧି ହେଉଛି। ଅର୍ଥନୀତି ପ୍ରଗତି ପାଇଁ ରୋଜଗାର, ଆଇନ ଶୃଙ୍ଖଳା, ନିବେଶ ଦରକାର ହେଲେ ଏବେ ଯେଉଁ ଆଇନ ଶୃଙ୍ଖଳା ଅଛି, ନିବେଶକ ଫେରି ଯିବେ ବୋଲି ବିଜୁ ଜନତା ଦଳ କହିଛି।