Odisha Link
Bridging the Missing Links in Odisha

ଓଡ଼ିଶାରେ ଜେଏସ୍‌ଡବ୍ଲୁ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସଙ୍ଗ: ତେଜିଲା ରାଜନୀତି, ମନ୍ତ୍ରୀ କହିଲେ..

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଚାଲିଯିବ ଜେଏସ୍‌ଡବ୍ଲୁ ପ୍ଲାଣ୍ଟ? ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି କମ୍ପାନୀ? ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସ୍‌ଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି। ୭ ମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ତତ୍କାଳୀନ ବିଜେଡି ସରକାର ବେଳେ ଚୁକ୍ତି କରିଥିଲା ଜେଏସ୍‌ଡବ୍ଲୁ। ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା।

ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେଡି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଜେଏସ୍‌ଡବ୍ଲୁ ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାପଡ଼ିବ। ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ ଚୁଡ଼ାନ୍ତ ହୋଇନି। ପୂର୍ବ ସରକାରରେ କ’ଣ ହୋଇଛି, ଆମେ କଥାବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇନି। ଆମକୁ କିଛି ସୂଚନା ମିଳିନି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି।

ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ। ଏଥିପାଇଁ ତତ୍‌କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ।

ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି। ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟ ସତ ହୁଏ ତେବେ ଜେଏସ୍‌ଡବ୍ଲୁର ଏହି ନିଷ୍ପତି ପରେ ରାଜ୍ୟରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ଫେରିଯିବା ସହ ୧୧ହଜାର ପ୍ରତ୍ୟକ୍ଷ ନିଯୁକ୍ତିରେ ବ୍ରେକ ଲାଗିବାର ଆଶଙ୍କା ରହିଛି। ତେବେ ଏହି ଘଟଣା ପରେ ଜେଏସ୍‌ଡବ୍ଲୁର ଜଣେ ବରିଷ୍ଠ ଅଫିସର ଏହି କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୪୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଜେଏସ୍‌ଡବ୍ଲୁ। ଆମେ ଓଡ଼ିଶାରେ ଇଭି ଓ ବ୍ୟାଟେରୀ ପ୍ରୋଜେକ୍ଟ କରିବୁ।

Leave A Reply

Your email address will not be published.