ମହାଲକ୍ଷ୍ମୀ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା ଲିଙ୍କ୍, ଓଡ଼ିଶାରେ ତଦନ୍ତ କରୁଛି ବେଙ୍ଗାଲୁରୁ ପୁଲିସ

ଓଏଲ୍ ବ୍ୟୁରୋ: ବେଙ୍ଗାଲୁରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଯେଉଁ ଘରେ ରହୁଥିଲେ ମୃତକ ମହାଲକ୍ଷ୍ମୀ ସେହି ଘରୁ ହିଁ ତାଙ୍କ ମୃତଦେହ ଠାବ ହୋଇଛି। ମହାଲକ୍ଷ୍ମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ ରଖିଥିଲା ଜହ୍ଲାଦ। ଏହି ଭୟାନକ ହତ୍ୟାକାଣ୍ଡ ପଛରେ ଓଡ଼ିଶା ଲିଙ୍କ ଥିବା ଚର୍ଚ୍ଚା ହେଉଛି।
ମହାଲକ୍ଷ୍ମୀଙ୍କ ହତ୍ୟାକାରୀ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ଲୁଚିଥିବା ଜଣାପଡ଼ିଛି। ବେଙ୍ଗାଲୁରୁ ପୁଲିସ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ଓଡ଼ିଶାରେ ବେଙ୍ଗାଲୁରୁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ତନାଘନା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର।
ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆମେ ଏହି ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛୁ। ହତ୍ୟା ଘଟଣା ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଛି। ହତ୍ୟାକାରୀକୁ ପୁଲିସ ଓଡ଼ିଶାରେ ଠାବ କରି ସାରିଛି। ସେ ଅପରାଧ ଘଟାଇଥିବା ପ୍ରମାଣ ଏକାଠି କରାଯାଉଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ୩ରୁ ୪ଟି ଟିମ ପଠାଇଛି।
ଅଭିଯୁକ୍ତ ଜଣଙ୍କ ନିୟମିତ ସ୍ଥାନ ବଦଳାଉ ଥିବାରୁ, ତା’ ଉପରେ ମଧ୍ୟ ନଜର ରହିଛି। ଶେଷ ଖବର ଅନୁସାରେ ସେ ଓଡ଼ିଶାରେ ହିଁ ରହିଥିବା ସ୍ପଷ୍ଟ ହୋଇଛି। ତା’କୁ ଧରିବା ପରେ ଆମେ ଅଧିକ ସୂଚନା ପାଇ ପାରିବୁ।ମିଳିଥିବା ପ୍ରମାଣ ଓ ସୂଚନା ଅନୁସାରେ ଓଡ଼ିଶା ଲୁଚିଥିବା ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେଣୁ ତା’କୁ ଧରିବାକୁ ଟିମ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।