ଭାଷଣ ଦେଉଥିଲେ, ହଠାତ୍ କାହିଁକି ରାଗିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ?
ଓଏଲ୍ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ମତଦାନ ତାରିଖ ଯେତେ ପାଖଉଛି ସେତେ ଉଷ୍ମ ହେବାରେ ଲାଗିଛି ହରିୟାଣା ରାଜନୀତି। ଏସବୁ ମଧ୍ୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକଙ୍କ ଉପରେ ରାଗିବା ସହିତ ତାକୁ ସଭାସ୍ଥଳୀରୁ ବାହାରିଯିବା ପାଇଁ କହୁଥିବା ନଜର ରହିଛି।
ନିର୍ବାଚନ ତାରିଖ ପାଖେଇ ଆସୁଥିବାର ପ୍ରଚାର ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବୁଧବାର ମନୋହର ଲାଲ ଖଟ୍ଟର ହରିୟାଣାର ହିସାର ସ୍ଥିତ ପଞ୍ଜାବୀ ଧର୍ମଶାଳାରେ ଏକ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପଛରେ ହିରାସ ବିଧାନସଭାର ବିଧାୟକଙ୍କ ବିଶେଷ ଭୂମିକା ପୂର୍ବରୁ ରହି ଆସିଛି। ଚଳିତଥର ମଧ୍ୟ ରହିବ। ଏସବୁ ମଧ୍ୟରେ ମଞ୍ଚ ତଳେ ଥିବା ଜଣେ ଯୁବକ ପ୍ରଶ୍ନ କରିବା ଆରମ୍ଭ କରିଥିଲେ।
ଖଟ୍ଟର ଭାଷଣ ଦେବା ସମୟରେ ଯୁବକ ଜଣକ କହିଥିଲେ ଯେ ହରିୟାଣାର ସତ୍ତାରେ ବିଜେପି ରହିବ, ହେଲେ ତାଙ୍କ ଆଶାୟୀ ପ୍ରାର୍ଥୀ ହରିୟାଣାରେ ଜିତିବ ନାହିଁ। ଏହାପରେ ବିଜେପିର ବରିଷ୍ଠ ନେତା ଯୁବକ ଜଣଙ୍କୁ ଧରିବାକୁ କହିବା ସହିତ ବାହାରକୁ ତଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଉପସ୍ଥିତ ସୁରକ୍ଷାକର୍ମୀ ଯୁବକଙ୍କୁ ସଭାସ୍ଥଳରୁ ବାହାରକୁ ନେଇ ଯିବାର ଦେଖିବାକୁ ମିଳିଥିଲା।