ଟେଷ୍ଟ କ୍ରିକେଟ: ଖସିଲେ ବିରାଟ-ରୋହିତ, ଉଠିଲେ ଗିଲ୍-ପନ୍ତ-ଯଶ୍ବସୀ
ଓଏଲ୍ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଆଜି ଜାରି କରାଯାଇଛି ଟେଷ୍ଟ କ୍ରିକେଟର ସଦ୍ୟତମ ରାଙ୍କିଙ୍ଗ। ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଟେଷ୍ଟ କ୍ରିକେଟର ୩ଟି ଯାକ ରାଙ୍କିଙ୍ଗରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା ଓ ବିରାଟ କୋହଲି ତଳକୁ ଖସିଥିବା ବେଳେ ଉପରକୁ ଉଠିଛନ୍ତି ଯଶ୍ବସୀ ଜୟଶଓ୍ବାଲ, ଋଷଭ ପନ୍ତ ଓ ଶୁଭମନ ଗିଲ।
ଆଜି ପ୍ରକାଶ ପାଇଥିବା ବ୍ୟାଟିଂ ତାଲିକାର ୧୫ତମ ସ୍ଥାନ ମଧ୍ୟରେ ଭାରତର ୫ ଜଣ ଖେଳାଳି ରହିଛନ୍ତି। ୫ମ ସ୍ଥାନରେ ଯଶ୍ବସୀ ଜୟଶଓ୍ବାଲ ରହିଥିବା ବେଳେ ୬ଷ୍ଠ ସ୍ଥାନରେ ରହିଛନ୍ତି ୨ ବର୍ଷ ପରେ ଟେଷ୍ଟ କ୍ରିକେଟ ଖେଳିଥିବା ଋଷଭ ପନ୍ତ। ସେହିପରି ୧୦ମ ସ୍ଥାନରେ ରୋହିତ ଶର୍ମା ୧୨ ତମ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ଉଭୟ ଖେଳାଳି ୫ଟି ସ୍ଥାନକୁ ତଳକୁ ଖସିଛନ୍ତି। ସେହିପରି ୧୪ତମ ସ୍ଥାନରେ ଶୁଭମନ ଗିଲ୍ ରହିଛନ୍ତି। ୫ଟି ସ୍ଥାନ ଉପରକୁ ଉଠିଛନ୍ତି ଗିଲ୍। ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନରେ ଜୋଏ ରୁଟ୍ ଥିବାବେଳେ ୨ୟ ସ୍ଥାନରେ କେନ୍ ଓ୍ବିଲିୟମସନ୍ ରହିଛନ୍ତି। ସେହିପରି ୩ୟରେ ଡେରିଲ ମିଚେଲ ଓ ୪ର୍ଥ ସ୍ଥାନରେ ଷ୍ଟିଭ ସ୍ମିଥ ରହିଛନ୍ତି।
ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଅଦଳବଦଳ ଦେଖିବାକୁ ମିଳିଛି। ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୁରୟା ଟପ୍-୧୦ରେ ପ୍ରବେଶ କରିଛନ୍ତି। ସେ ତାଲିକାର ୮ମ ସ୍ଥାନରେ ରହିଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ବିନୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜଶପ୍ରୀତ ବୁମରାହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।