ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୩୯ ନେତାଙ୍କ ଭାଗ୍ୟ ପରୀକ୍ଷା
ଓଏଲ୍ ବ୍ୟୁରୋ: ଆଜି ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି। ୬ଟି ଜିଲ୍ଲାରେ ୨୬ଟି ଆସନ ପାଇଁ ହେଉଛି ଭୋଟିଂ। ସେଥିରେ ରହିଛି ଜମ୍ମୁର ୧୧ଟି ଓ କାଶ୍ମୀରର ୧୫ଟି ଆସନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ରାଜୌରୀ, ପୁଞ୍ଚ ଓ ରାଇସି ଭଳି ଅଂଚଳରେ ଭୋଟିଂ ଚାଲିଛି। ଏହି ତିନିଟି ଅଂଚଳରେ ଗତ କିଛି ମାସ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଛି। ତେଣୁ ଏହି ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏହି ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ରବୀନ୍ଦ୍ର ରାଇନାଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଗଣ୍ଡେରବାଲ ଓ ବୁଡଗାଁଓ ଦୁଇଟି ଆସନରୁ ଲଢୁଛନ୍ତି ଓମାର ଅବଦ୍ଦୁଲା। ରାଜୌରୀ ଜିଲ୍ଲାର ନୌସେରାରୁ ଲଢୁଛନ୍ତି ରବୀନ୍ଦ୍ର ରାଇନା। ସକାଳ ୯ଟା ସୁଦ୍ଧା ୧୦.୨ ପ୍ରତିଶତ ଭୋଟିଂ ଗ୍ରହଣ କରାଯାଇଛି।
ରାଜ୍ୟରେ ବିଜେପି, ପିଡିପି, କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ମଧ୍ୟରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ମେଣ୍ଟ ବୁଝାମଣା ଅନୁଯାୟୀ ଏହି ୨୬ଟି ଆସନ ମଧ୍ୟରୁ ନ୍ୟାସନାଲ କନଫରେନ୍ସ ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୬ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ଏହି ପର୍ଯ୍ୟାୟରେ ବିଜେପି ୧୭ଟି ଆସନରେ ପ୍ରାର୍ଥୀ ଦେଇଛି। ସେପ୍ଟେମ୍ୱର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତାଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ ତାରିଖରେ ହେବ। ଅକ୍ଟୋବର ୮ରେ ଗଣତି ହେବ ବୋଲି ସୂଚନା ରହିଛି।