Odisha Link
Bridging the Missing Links in Odisha

ଆସ୍ଥାର ପ୍ରାଣକେନ୍ଦ୍ର ଅଯୋଧ୍ୟା-ବଦ୍ରୀନାଥରେ ହାରିଥିଲା, କ’ଣ ବୈଷ୍ଣୋ ଦେବୀ ଆସନ ନିଜ ପାଖରେ ରଖିପାରିବ ତ ବିଜେପି ?

ଓଏଲ୍‌ ବ୍ୟୁରୋ: ବୁଧବାର ଶେଷ ହୋଇଛି ଜମ୍ମୁ-କଶ୍ମୀର ବିଧାନସଭାର ଦ୍ବିତୀୟ ଚରଣ ମତଦାନ। ଦ୍ବିତୀୟ ଚରଣରେ ୨୬ଟି ଆସନ ପାଇଁ ହୋଇଥିବା ମତଦାନ। ୫୬ ପ୍ରତିଶତରୁ ଅଧିକ ଲୋକ ମତଦାନ କରିଥିବା ଜଣାପଡ଼ିଛି। ଏଭଳିକି କିଛି ବୁଥରେ ଉତ୍ସାହଜନକ ଭୋଟିଂ ହୋଇଥିବା ବେଳେ ମତଦାତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।

ଅଧିକ ଭୋଟିଂ ହୋଇଥିବା ଆସନ ମଧ୍ୟରେ ରହିଛି ଶ୍ରୀ ମାତା ବୈଷ୍ଣୋ ଦେବୀ ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ୭୯.୯୫ ପ୍ରତିଶତ ମତଦାନ ହୋଇଛି। ପ୍ରତମ ଥର ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ଏହା ଏକ ନୂଆ ବିଧାନସଭା ଆସନ। ନୂଆ ଆସନକୁ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କରିଛି ଜୋରଦାର ପ୍ରୟାସ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟରାରେ କରିଥିଲେ ପ୍ରଚାର। ବଡ଼ ରାଲିରେ ଦେଇଥିଲେ ଯୋଗ। ଲୋକସଭା ନିର୍ବାଚନରେ ଅଯୋଧ୍ୟା ଓ ଉପ-ନିର୍ବାଚନରେ ବଦ୍ରୀନାଥ ଆସନ ପାଇଁ ବିଜେପି ଯେଉଁ ଭଳି ପ୍ରସ୍ତୁତି କରିଥିଲା ଠିକ୍‌ ସେହିଭଳି ବୈଷ୍ଣବ ଦେବୀ ଆସନ ଜିତିବା ପାଇଁ ପୁରା ଶକ୍ତି ଲଗାଇଛି ବିଜେପି। ତେବେ ଫଳାଫଳ ସାମ୍ନାକୁ ଆସିଲେ ଜଣାପଡ଼ିବ ବିଜେପି ଜିତୁଛି ନା ହାରୁଛି।

ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅଯୋଧ୍ୟା ଓ ଉତ୍ତରାଖଣ୍ଡ ବିଧାନସଭା ଉପ-ନିର୍ବାଚନରେ ବଦ୍ରୀନାଥ ଆସନରେ ବିଜେପି ପରାଜିତ ହୋଇଥିଲା। ଏହି ଦୁଇ ଆସନରେ ବିଜେପି ପୁରା ସାମର୍ଥ୍ୟ ଲଗେଇଥିଲେ ବି ପରାଜିତ ହୋଇଥିଲା। ଏହି ଦୁଇ ସିଟ୍‌ ହାରିବା ପରେ ବିଜେପିକୁ ଟାର୍ଗେଟ କରିଥିଲେ ବିପକ୍ଷ। ଏହାକୁ ନଜରରେ ରଖିଲେ ବର୍ତ୍ତମାନ ଶ୍ରୀ ମାତା ବୈଷ୍ଣବ ଦେବୀ ଆସନ ବିଜେପିର ପ୍ରତିଷ୍ଠା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଦୁଇ ଆଧ୍ୟାତ୍ମିତ ପୀଠରେ ବିଜେପି ପରାଜିତ ହୋଇଥିଲା ବେଳେ ଏହି ନୂଆ ଆସନରେ ବିଜେପି ବାଜି ମାରିବ ନା ନାଇଁ ତାଉପରେ ସାରା ଦେଶର ନଜର।

ସୂଚନାଥାଉକି, ସେପ୍ଟେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖାପାଖୀ ୨ କିଲୋମିଟର ଲମ୍ବା ରୋଡ ଶୋ’ କରିଥିଲେ। ମୋଦି ଭାଷଣରେ କହିଥିଲେ ଯେ ଜମ୍ମୁ କଶ୍ମୀରରେ ଏଭଳି ଏକ ସରକାର ଆବଶ୍ୟକତା ରହିଛି, ଯିଏ ଆମର ଆସ୍ଥାକୁ ସମ୍ମାନ ଓ ସଂସ୍କୃତିକୁ ଆଗକୁ ନେଇ ପାରୁଥିବ। ବୈଷ୍ଣୋ ଦେବୀ ମନ୍ଦିର ଆସ୍ଥା ସାରା ବିଶ୍ବକୁ ଜଣା।

Leave A Reply

Your email address will not be published.