କଂଗ୍ରେସକୁ ନଡ୍ଡାଙ୍କ କଟାକ୍ଷ, କହିଲେ-ଭାଇଭଉଣୀଙ୍କୁ ଭାରତର ବିକାଶ ଦିଶୁ ନାହିଁ
ଓଏଲ୍ ବ୍ୟୁରୋ: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମେ ସଂକଳ୍ପବଦ୍ଧ ଅଟୁ। ଏଥିପାଇଁ ଆପଣ ମାନଙ୍କର ସହଯୋଗ ସର୍ବୋପରି ଅଟେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ବିଜେପି ଆପଣଙ୍କୁ ଆହ୍ବାନ କରୁଛି, ଆପଣ ଦଳ ସହ ଯୋଡ଼ି ହୁଅନ୍ତୁ। ଦଳକୁ ମଜବୁତ କରନ୍ତୁ।
ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି ଜେପି ନଡ୍ଡା। ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ। ଭାଇଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି। ତାହା ହେଲା ବେକାରୀ ଓ ଦରଦାମ ବୃଦ୍ଧି। ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ। ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଜେପି ନଡ୍ଡା।
ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା। ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି। ଆମେ କ୍ୟାଡର ବେସ ପାର୍ଟି। ପ୍ରତି ୬ ବର୍ଷରେ ସଦସ୍ୟତା ସମାପ୍ତ ହୁଏ। ଏଣୁ ବିଜେପିରେ ସମସ୍ତେ ପୁଣି ସଦ୍ୟସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି।
ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ପାର୍ଲିଆମେଣ୍ଟ ମେମ୍ୱର ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ।
ଦଳର ସଦସ୍ୟତା କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ବିଜେପି ଏକ ଗଣତାନ୍ତ୍ରିକ, ବିଚାରଧାରା ଦଳ। ଦଳର ସଦସ୍ୟତା ଅଭିଯାନ ସମାପ୍ତ ହେବାପରେ ମଣ୍ଡଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ରାଜ୍ୟ ସ୍ତରର କର୍ମକର୍ତ୍ତା ଜାତୀୟ ସଭାପତି ନିର୍ବାଚନ କରିବେ। ଏପରି ଗଣତାନ୍ତ୍ରିକ ପ୍ରକ୍ରିୟା କେବଳ ବିଜେପିରେ ହିଁ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ଵ ଗ୍ରହଣ କରିବା ବେଳେ ଭାରତ ବିଶ୍ଵର ୧୧ତମ ବୃହତ୍ ଅର୍ଥନୀତି ଥିଲା। ବର୍ତ୍ତମାନ ଭାରତ ବିଶ୍ଵର ସର୍ବବୃହତ ୫ମ ଅର୍ଥନୀତି ଭାବେ ପରିଗଣିତ ହେଉଛି। ଖୁବଶୀଘ୍ର ଭାରତ ବିଶ୍ଵର ତୃତୀୟ ବୃହତ୍ ଅର୍ଥନୀତିର ମାନ୍ୟତା ପାଇବ। ଭାରତର ବିକାଶ, ସମୃଦ୍ଧି ହିଁ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଦଳର ଆଭିମୁଖ୍ୟ ସମ୍ପର୍କରେ ମତ ରଖି ଶ୍ରୀ ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ଆମ ଦଳ ସମଗ୍ରତାରେ ବିଶ୍ୱାସ ରଖେ। ଆମ ଆମ ନିଜର ବିଚାରଧାରାକୁ ନେଇ ସବୁବେଳେ ଦୃଢ଼ ଏବଂ ଏକନିଷ୍ଠ ରହିଛୁ। ୧୯୫୩ ମସିହାରେ ଯାହା ସଂକଳ୍ପ ରଖିଥିଲୁ, ତାହା ୨୦୧୯ରେ ପୂରଣ କରିଛୁ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆମ ଦଳ ଏବଂ ସରକାରର ମୂଳମନ୍ତ୍ର ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୧୯ରେ ରାଜ୍ୟବାସୀ ଆମକୁ ମୁଖ୍ୟ ବିରୋଧୀ ଆସନରେ ବସାଇଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବା ବେଳେ ଲୋକେ ଆମକୁ ୧ ନମ୍ବର ଦଳ କରିଛନ୍ତି। ରାଜ୍ୟରେ ୧ କୋଟି ସଦସ୍ୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି। ଏହା ନିଶ୍ଚିତ ଭାବେ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।