ସରକାରଙ୍କ ସହ ଆଲୋଚନା ବିଫଳ, ଆନ୍ଦୋଳନରେ ନର୍ସିଂ କର୍ମଚାରୀ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ଯରେ ନର୍ସିଂ ଆନ୍ଦୋଳନ ଜାରି ରହିଛି। ଆଜି ବି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ। କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ। ୧୦ ଦଫା ଦାବିରେ ଆନ୍ଦୋଳନ ଜାରି ରଖିଛି ସଂଘ। ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘ ସୂଚନା ଦେଇଛି।
ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା। ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦରେ ଅଟଳ ରହିଛି। ମନ୍ତ୍ରୀସ୍ତରୀୟ ଆଲୋଚନା ଦାବିରେ ଅଡି ବସିଛନ୍ତି। ବୁଧବାରଠୁ ଅଣ ଜରୁରିକାଳୀନ ସେବା ନର୍ସ ବନ୍ଦ କରିଦେଇଛନ୍ତି। ଏହି ଦୁଇ ଦିନରେ ଦାବି ନମାନିଲେ କାଲିଠୁ ସମ୍ପୂର୍ଣ୍ଣ କାର୍ଯ୍ଯ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି।