Odisha Link
Bridging the Missing Links in Odisha

କାନପୁର ଟେଷ୍ଟ ପୂର୍ବରୁ ଅବସର ଘୋଷଣା କଲେ ଷ୍ଟାର ଅଲରାଉଣ୍ଡର

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ଆରମ୍ଭ ହେବ ଭାରତ-ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍। କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ମ୍ୟାଚ୍। ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ବିଶ୍ବ କ୍ରିକେଟର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍‌ ହାସନ୍।

ପୂର୍ବରୁ ଟି-୨୦ କ୍ରିକେଟରୁ ଅବସର ନେଇଥିବା ଶାକିବ ଅଲ୍‌ ହାସନ୍‌ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶାକିବ ଅଲ ହାସନ କହିଛନ୍ତି ଯେ ସେ ଭାରତ ବିପକ୍ଷରେ କାନପୁର ଟେଷ୍ଟରେ ଉପଲବ୍ଧ ହେବେ। ଏହା ପରେ ବାଂଲାଦେଶର ମିରପୁରରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ହେବ। ଏହି ମ୍ୟାଚ୍ ପରେ ତାଙ୍କୁ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଅର୍ଥାତ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବେ ଶାକିବ ଅଲ୍‌ ହାସନ।

ବାଂଲାଦେଶ କ୍ରିକେଟ ଦଳର ସବୁଠାରୁ ଅଭିଜ୍ଞ କ୍ରିକେଟର ଭାବରେ ଶାକିବ ଅଲ ହାସନ ମ୍ୟାଚ୍ ଖେଳୁଥିଲେ। ଟିମ୍ ଇଣ୍ଡିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଶାକିବ ଅଲ ହାସନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି ଟେଷ୍ଟ ମ୍ୟାଚରେ ଶାକିବ ଗୋଟିଏ ବି ୱିକେଟ୍ ନେଇ ପାରିନଥିଲେ। ବ୍ୟାଟିଂରେ ସେ ପ୍ରଥମ ଇନିଂସରେ ମାତ୍ର ୩୨ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୨୫ ରନ୍ ସ୍କୋର କରିଥିଲେ। ଶାକିବଙ୍କ ଏହି ପ୍ରଦର୍ଶନ ପରେ ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ ଇକବାଲ ଚୂଡ଼ାନ୍ତ ଏକାଦଶରେ ଶାକିବଙ୍କ ସାମିଲକୁ ନେଇ ପ୍ରଶ୍ନ ଉଠାଇଥିଲେ।

ବାଂଲାଦେଶ ଟିମର ପୂର୍ବତନ ଅଧିନାୟକ ଶାକିବ ଅଲ ହାସନ ଦଳ ଏପର୍ଯ୍ୟନ୍ତ ୭୦ ଟି ଟେଷ୍ଟ, ୨୪୭ ଟି ଦିନିକିଆ ଓ ୧୨୯ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪୬୦୦ ରନ୍‌ ସ୍କୋର କରିଥିବା ବେଳେ ଦିନିକିଆରେ ୭୫୭୦ ରନ୍ ଏବଂ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୨୫୫୧ ରନ୍ କରିଛନ୍ତି। ଏଥି ସହ ଶାକିବ ଟେଷ୍ଟରେ ୨୪୨ ୱିକେଟ୍, ଦିନିକିଆରେ ୩୧୭ ୱିକେଟ୍ ଏବଂ ଟି-୨୦ ରେ ୧୪୯ଟି ୱିକେଟ୍ ନେଇଛନ୍ତି।

ସୂଚନାଥାଉକି, ଟି-୨୦ ବିଶ୍ୱକପ ୨୦୨୪ ରେ ସୁପର-୮ ରୁ ଦଳ ବାଦ ପଡିବା ପରେ ଶାକିବ ଅଲ ହାସନ ଟି-୨୦ କ୍ରିକେଟରୁ ଅବସର ନେଇଥିଲେ। ଏହା ପରେ ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ଏଣିକି ତାଙ୍କୁ କେବଳ ଦିନିକିଆ ଏବଂ ପ୍ରିମିୟର ଟି-୨୦ କ୍ରିକେଟ୍ ଲିଗ୍ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିବ।

Leave A Reply

Your email address will not be published.