Odisha Link
Bridging the Missing Links in Odisha

ଟ୍ରାଙ୍କୁଲାଇଜ୍ ହେଲା ନରହନ୍ତା ଦନ୍ତା, ୪ ଦିନରେ ନେଇଥିଲା ୩ ଜୀବନ

ଓଏଲ୍‌ ବ୍ୟୁରୋ: ଟ୍ରାଙ୍କୁଲାଇଜ୍ ହେଲା ନରହନ୍ତା ଦନ୍ତା। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ। ଗତ ୩ ଦିନରେ ଏହି ଦନ୍ତା ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ଏହି ଦନ୍ତାଟିକୁ ଟ୍ରାଙ୍କୁଲାଇଜ୍‌ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ବନ ବିଭାଗ। ବୁଢ଼ୀଖମାରୀ ସଂରକ୍ଷିତ ବଡ଼କୁଡ଼ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଛି।

ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିରେ ଏହି ଦନ୍ତା ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା। ପ୍ରଥମେ ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକ୍‌ର କୋଷ୍ଠା ଅଞ୍ଚଳରେ ପ୍ରବେଶ କରି ସେଠାରେ ବ୍ୟାପକ ଫସଲ ଉଜାଡ଼ିବା ସହ ୩ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ରାତିସାରା ଆତଙ୍କ ଖେଳାଇବା ପରେ ଭୋର୍‌ ସମୟରେ ଦେଉଳି ରେଞ୍ଜ ମୋରଡ଼ା ଥାନା ଅଧୀନ ସୋନପୁରିଆ ଗ୍ରାମରେ ପ୍ରବେଶ କରି ଘର ବାରଣ୍ଡାରେ ଶୋଇଥିବା ରଘୁ ହେମ୍ବ୍ରମଙ୍କୁ ଶୁଣ୍ଢରେ ଭିଡ଼ିଆଣି କଚାଡ଼ି ମାରି ଦେଇଥିଲା।

ଏହାର କିଛିସମୟ ପରେ ରାସଗୋବିନ୍ଦପୁର ରେଞ୍ଜ ଉଲିଡିହି ଗାଁରେ ପଶି ଘର ସମ୍ମୁଖରେ ଝାଡ଼ୁ ମାରୁଥିବା ସାକ୍ରା ହେମ୍ବ୍ରମ ନାମକ ଜଣେ ମହିଳାଙ୍କୁ ପାଦରେ ଦଳି ଦେଇଥିଲା। ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ ଜଣଙ୍କ ମଧ୍ୟରୁ ଗତକାଲି ଶୁଳିଆପଦା ବ୍ଲକ୍ ତାଡ଼କି ଗ୍ରାମର ସର୍ବେଶ୍ବର ସିଂଙ୍କର ମୃତ୍ୟୁ ଘଟିଥିଲା। ୪ ଦିନରେ ୩ ଜଣଙ୍କ ଜୀବନ ନେବା ପରେ ଗୋଠଛଡ଼ା ଦନ୍ତା ହାତୀକୁ ବନ ବିଭାଗ କାବୁ କରିଛି। ଟ୍ରାଙ୍କୁଲାଇଜ୍ ପରେ କପିଳାସ ଥଇଥାନ କେନ୍ଦ୍ରକୁ ଅଣାଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.