ନର୍ସିଂ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ, କହିଲେ-ଆନ୍ଦୋଳନ ଛାଡ଼ି ରୋଗୀ ସେବା କରନ୍ତୁ
ଓଏଲ୍ ବ୍ୟୁରୋ: ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଦୁଇ ଦିନର ଧାରଣା ପରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଯାହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ ସଂଘ। ନର୍ସିଂ ଆନ୍ଦୋଳନ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦାବି ସଂକ୍ରାନ୍ତରେ ବିଚାର ବିମର୍ଶ ଚାଲିଛି। ଏହାକୁ ଗମ୍ଭୀରତାର ସହକାରେ ନେଇଛନ୍ତି ସରକାର। ନର୍ସିଂ କର୍ମଚାରୀ ଆନ୍ଦୋଳନରୁ ଓହରି ରୋଗୀ ସେବାରେ ଯୋଗ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ଏନେଇ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ଦାବି ଉପରେ ଗତକାଲି ଆଲୋଚନା କରାଯାଇଛି। ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ସରକାରଙ୍କ ଅନୁରୋଧ ସତ୍ତ୍ୱେ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।