ଯାଞ୍ଚ ହେବ ଅବଢ଼ାର ମାନ, ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

ଓଏଲ୍ ବ୍ୟୁରୋ: ତିରୁପତି ମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଘିଅ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାପରେ, ଶ୍ରୀ ମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ନେଇ ଦାବି ଉଠିଛି। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏହା ସହ ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ମାନ ଯାଞ୍ଚ କରିବା ପାଇଁ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବେ। ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି। କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, ଘିଅର ମାନ ଯାଞ୍ଚର ଆବଶ୍ୟକତା ନାହିଁ। ଘିଅର ମାନ ଠିକ ଅଛି ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର। ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହାର ହୁଏ। ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ। ଏହାସହ ପ୍ରତିଦିନ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଦୀପରେ ବ୍ୟବହୃତ ଘିଅରେ ଶୁଦ୍ଧତା ରକ୍ଷା ନିମନ୍ତେ ମଧ୍ୟ ନିୟମିତ ଯାଞ୍ଚ କରାଯାଇ ରିପୋର୍ଟ ସାଧାରଣ ଲୋକଙ୍କ ଆଗରେ ରଖିବାକୁ ଦାବି ହୋଇଛି।