Odisha Link
Bridging the Missing Links in Odisha

ପଛରେ ପଡ଼ିଲେ ଅନୀଲ କୁମ୍ବଲେ, ନୂଆ ରେକର୍ଡର ଅଧିକାରୀ ହେଲେ ଅଶ୍ବିନୀ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାନପୁର ଟେଷ୍ଟ। ବର୍ଷା କାରଣରୁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅମ୍ପାୟର ପ୍ରଥମ ଦିନର ଖେଳକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ଦିନରେ କିନ୍ତୁ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗୋଟିଏ ୱିକେଟ ନେଇଥିଲେ ହେଁ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏବେ ଏସିଆ ମହାଦେଶରେ ସର୍ବାଧିକ ୱିକେଟ ଦଖଲ କରିଥିବା ଭାରତୀୟ ହୋଇଯାଇଛନ୍ତି।

କାନୁପର ଟେଷ୍ଟର ପ୍ରଥମ ଦିନରେ ୨୯ ତମ ଓଭରରେ ଆଜି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି ଅଶ୍ବିନୀ। ୪୨୦ ୱିକେଟ ଦଖଲ କରିବା ପରେ ସେ ଭାରତର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି। କୁମ୍ବଲେ ଏସିଆ ମହାଦେଶରେ ୪୧୯ଟି ୱିକେଟ ନେଇ ଭାରତୀୟଙ୍କ ମଧ୍ୟରେ ୧ନଂ ସ୍ଥାନରେ ରହିଥିଲେ। ଏବେ ସେହି ସ୍ଥାନ ଅକ୍ତିଆର କରିଛନ୍ତି ଅଶ୍ବିନୀ।

ଏସିଆ ମହାଦେଶରେ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ ରହିଛନ୍ତି। ସେ ଟେଷ୍ଟ କ୍ରିକେଟରେ ମୋଟ ୮୦୦ ୱିକେଟ ନେଇଥିବା ବେଳେ କେବଳ ଏସିଆରେ ଏହି ସଂଖ୍ୟା ୬୧୨ ରହିଛି। ତାଙ୍କ ପରେ ଏସିଆରେ ୪୦୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ଦୁଇ ଖେଳାଳି ହେଲେ ଅଶ୍ୱିନ ଓ ଅନୀଲ କୁମ୍ବଲେ।

ଅଶ୍ବିନୀ ଏପର୍ଯ୍ୟନ୍ତ ୧୦୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୨୩ଟି ୱିକେଟ ନେଇଛନ୍ତି। ଏସିଆରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର। ବର୍ତ୍ତମାନ ସେ ଏସିଆ ମହାଦେଶ ୪୦୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ବିରଳ କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି।

ସୂଚନାଥାଉକି, କାନୁପର ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବର୍ଷା କାରଣଣୁ ପ୍ରଥମ ଦିନ ମାତ୍ର ୩୫ ଓଭର ଖେଳ ହୋଇ ପାରିଥିଲା। ବାଂଲାଦେଶ ୩ଟି ଓ୍ବିକେଟ ହରାଇ ୧୦୭ ରନ୍‌ ସ୍କୋର କରିଛି।

Leave A Reply

Your email address will not be published.