Odisha Link
Bridging the Missing Links in Odisha

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ଅଧା ରହିଗଲା ଜଗା ଦର୍ଶନ, ଚାଲିଗଲା ୪ ଜୀବନ

ଓଏଲ୍‌ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ। ପୁରୀ ତୀର୍ଥ ଯାତ୍ରା ପାଇଁ ଆସୁଥିବା କ୍ରିଷ୍ଣା ନାମକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ୨୩ ଆହତଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

ଉତ୍ତର ପ୍ରଦେଶର ୫୭ ଜଣ ତୀର୍ଥ ଯାତ୍ରୀ ‘କ୍ରିଷ୍ଣା’ ନାମକ ଏକ ବସ୍‌ ଯୋଗେ ଜଗା ଦର୍ଶନ କରିବା ପାଇଁ ପୁରୀ ଆସୁଥିଲେ। ସେମାନେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ବାହାରିଥିଲେ। ଗତକାଲି ରାତିରେ ବସ୍‌ଟି କଲିକତାରୁ ପୁରୀ ଅଭିମୁଖେ ବାହାରିଥିଲା। ପ୍ରାୟ ରାତି ୨ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକ ବସ୍‌ ଦୁର୍ଘଟଣା ଖବର ପୁଲିସକୁ ଜଣାଇଥିଲେ। ପରେ ପରେ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ୍ , ଜଳେଶ୍ୱର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତୁରନ୍ତ ବସ୍‌ରୁ ଆହତ୨୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.