Odisha Link
Bridging the Missing Links in Odisha

୨,୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ଦିଆଯିବ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଲୋକସେବା ଭବନରେ ଚାଲିଛି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲାାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଛନ୍ତି। ଏହି ଅବସରରେ ବଡ଼ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି, ଖାଲି ପଡ଼ିଥିବା ପୁଲିସ ପଦବୀ ଖୁବଶୀଘ୍ର ପୂରଣ ହେବ। ବିଗତ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନର ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୋହନ ମାଝୀ। କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ପ୍ରଦାନ ଓ ମୃତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଥିବା କହିଛନ୍ତି।

ସେହିପରି କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ୍‌‌। ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍‌‌ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍‌‌ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍‌‌ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଏଥବପାଇଁ ପାଖାପାଖି ୯ହଜାର ବାଇକ କିଣାଯିବ ବୋଲି କୁହାଯାଇଛି। ଏହାସହିତ ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏଁ ଚାରିଚକିଆ ଯାନ ଦିଆଯିବ ବୋଲି ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜିର ବୈଠକରେ ଆଇନ୍‌ ଶୃଙ୍ଖଳାକୁ ନେଇ ଅନୁପସ୍ଥିତ ଅଛନ୍ତି ୫ ଜିଲ୍ଲାର ଆରକ୍ଷୀ ଅଧିକାରୀ। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଯୋଗ ଦେଇ ନାହାନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି, ଜନତାଙ୍କ ସୁରକ୍ଷା ଦାୟିତ୍ବ ପୁଲିସ ହାତରେ ରହିଛି। ପୁଲିସ ହେଉଛି ଜନତାଙ୍କ ବନ୍ଧୁ। ଜନତାଙ୍କ ଭିତରେ ବିଶ୍ବାସ ଜନ୍ମ କରୁ ପୁଲିସ। ସାଧାରଣ ଲୋକର ଭରସାକୁ ବଜାଏ ରଖୁ ପୁଲିସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉପସ୍ଥିତ ଆରକ୍ଷୀ ଅଧିକଙ୍କୁ ସମ୍ବୋଧନ କରିବା ସହିତ ତାଗିଦ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଥାନାରେ ମହିଳାଙ୍କ ପ୍ରତି ଉଚିତ୍‌ ବ୍ୟବହାର କର। ଧୈର୍ଯ୍ୟର ସହ ଅଭିଯୋଗ ଶୁଣ ମାମଲା ଦାଏର କର। ଦିନ ହେଉ କି ରାତି ମାମଲା ଶୁଣ। ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ। ରାତି ସମୟରେ କିଏ ଯଦି ଥାନାକୁ ଅଭିଯୋଗ କରିବାକୁ ଯାଉଛି ତାହାଲେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ତ୍ରୁଟି ଥିଲେ ତୁରନ୍ତ ନିଜକୁ ସୁଧାରି ନିଅ ବୋଲି ତାଗିଦ ମଧ୍ୟ କଲେ ମୁଖ୍ୟମନ୍ତ୍ରୀ।

ଏଥିସହିତ ଓଡ଼ିଶା ପୁଲିସକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ପୁଲିସ ଶୃଙ୍ଖଳିତ, ଲୋକାଭିମୁଖୀ ଓ ଦକ୍ଷ ଦଳ। ପୁଲିସର ନେତୃତ୍ବରେ ରଥାଯାତ୍ରା ସୁରୁଖୁରରେ ସରିଛି। ଦିନ ତିଲା ଓଡ଼ିଶା ମାଓ ହିଂସାର ଶିକାର ହୋଇ ଆସୁଥିଲା। ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସହାୟତାରେ ସ୍ଥିତି ସୁଧୁରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.