୩ ବର୍ଷ ପରେ ଦଳକୁ ଫେରିଲେ ରହସ୍ୟମୟ ସ୍ପିନର, ଋତୁରାଜ-ଈଶାନଙ୍କୁ ମିଳିଲାନି ସୁଯୋଗ
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ ଚାଲିଛି। କାନପୁରରେ ଖେଳା ଯାଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍। ଟେଷ୍ଟ ସିରିଜ ପରେ ଆରମ୍ଭ ହେବ ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ। ବାଂଲାଦେଶ ବିପକ୍ଷ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ।ପୂର୍ବଭଳି ସୂର୍ଯ୍ୟ କୁମାର ଯାଦବ ଭାରତର କମାଣ ସମ୍ଭାଳିବେ। ଟେଷ୍ଟ ଭଳି ଟି-୨୦ ସିରିଜ ପାଇଁ ମଧ୍ୟ ଉପ-ଅଧିନାୟକ କେଉଁ ଖେଳାଳିକୁ ଦାୟିତ୍ବ ଦେଇନି ବିସିସିଆଇ।
ବାଂଲାଦେଶ ବିପକ୍ଷ ସିରିଜରେ ବହୁ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କ ଭଳି ଖେଳାଳି ନାହାନ୍ତି। ସେହିପରି ମହମ୍ମଦ ସିରାଜ, ଜଶପ୍ରୀତ ବୁମରାହ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳିକୁ ଦଳରେ ସ୍ଥାନ ମିଳିନ। ଦୀର୍ଘ ଦିନ ପରେ ଘରୋଇ କ୍ରିକେଟକୁ ଫେରି ଶତକ ହାସଲ କରିଥିବା ଈଶନ କିଶନଙ୍କୁ ମଧ୍ୟ ପୁଣିଥରେ ଅଣଦେଖା କରାଯାଇଛି।
ତେବେ ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳିଥିବା ମୟଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଟିମରେ ପ୍ରଥମଥର ସୁଯୋଗ ପାଇଛନ୍ତି।
ସେହିପରି ଦୀର୍ଘ ୩ ବର୍ଷ ପରେ ଭାରତୀୟ ଟି-୨୦ ଟିମକୁ ଫେରିଛନ୍ତି ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ। ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ସେହିବର୍ଷ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ୟୁଜି ଚହଲଙ୍କ ବଦଳରେ ସାମିଲ କରାଯାଇଥିଲା। କିନ୍ତୁ ଫିଟନେସ ଯୋଗୁ ତାଙ୍କୁ ଭାରତୀୟ ଟିମରୁ ବାହାରେ ରହିବାକୁ ପଡ଼ିଥିଲା।
ଭାରତ ଓ ବାଂଲଦେଶ ମଧ୍ୟରେ ୩ ଟିକିଆ ସିରିଜର ପ୍ରଥମ ୬ ଅକ୍ଟୋବରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟଟି ୯ ତାରିଖରେ ଓ ଶେଷ ଟି-୨୦ ୧୨ ତାରିଖରେ ଅନୁଷ୍ଠିତ ହେବ।
ଭାରତୀୟ ଦଳ:
ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ମୟଙ୍କ ଯାଦବ।