Odisha Link
Bridging the Missing Links in Odisha

୨୫ ଆଇପିଏସ୍‌ଙ୍କୁ ସରକାରଙ୍କ ବଡ଼ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍‌ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ଦଶହରା ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୨୫ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିର୍ଦେଶ ଦେଇଛନ୍ତି। ଆଗକୁ ପାର୍ବଣ ଥିବାରୁ ତୁରନ୍ତ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ପୁଲିସ ମୁଖିଆ ଭାବେ ଓ୍ବାଇ ବି ଖୁରାନିଆ ଦାୟିତ୍ବ ନେଲା ପରେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଦ୍ବୈତନଗରୀ ପୁଲିସ କମିସନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏଡିଜି-ଅପରେସନ୍‌ ଥିଲେ।

ସେହିଭଳି ରାଜ୍ୟର ଚର୍ଚ୍ଚିତ ଆଇପିଏସ୍‌ ତଥା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ‌ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେଲ୍‌ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଏସ୍‌ଏମ୍‌ ନର୍‌ଭଣେଙ୍କୁ ଓଏସ୍‌ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଅବସ୍ଥାପିତ କରାଯାଇଛି।

ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟିବାକୁ ପଡ଼ିଛି। ତାଙ୍କୁ ପୁଲିସ ଆଧୁନିକୀକରଣର ଏଡିଜିପି ଭାବେ ଦାୟିତ୍ବ ମିଳିଛି। ଆର୍‌ପି କୋଚେଙ୍କୁ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। କୋଚେଙ୍କୁ ଏଡିଜି ସ୍ପେସାଲ୍‌ ଆର୍ମଡ ପୁଲିସରୁ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ରାଜେଶ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ତଥା ପୁଲିସ ହାଉସିଂ କର୍ପୋରେସନ୍‌ର ସିଏମ୍‌ଡି ପଦରୁ ସନ୍ତୋଷ ବାଲାଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରାଧାକିଶନ୍‌ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ଶ୍ରୀମତୀ ବାଲାଙ୍କୁ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଓ‌ ‌ଫୋରେନ୍‌ସିକ୍‌ ଲ୍ୟାବ୍‌ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଗୁଇନ୍ଦା ବିଭାଗ ଦାୟିତ୍ବରେ ଥିବା ଅନୁପ କୁମାର ସାହୁଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମିରେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.