ଭଦ୍ରକରେ ଡିଜିପିଙ୍କ ଅପିଲ୍, କହିଲେ-ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ

ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ଅଶାନ୍ତ ହୋଇପଡିଛି ଭଦ୍ରକ। ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା ପାଇଁ ଭଦ୍ରକ ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତି ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପି ଆଲୋଚନା କରିଛନ୍ତି।
ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଲୋକଙ୍କ ଅପିଲ୍ କରିଛନ୍ତି। ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି। ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ। ପୁଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି।
ସୂଚନା ଅନୁସାରେ, ଭଦ୍ରକ ଗଣ୍ଡଗୋଳ ଘଟଣାରେ ୪୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।