ଆଜି ଦେଶ ପାଳନ କରୁଛି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

ଓଏଲ୍ ବ୍ୟୁରୋ: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ହୋଇଯାଇଛି।
ଆମରଣ ଅନଶନରେ ବସି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ। ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି।
ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ। ୧୯୦୪ ମସିହାରେ ମୋଗଲ ସରାଇର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀଜୀ ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ‘ଜୟ ଜବାନ ଏବଂ ଜୟ କିଶାନ’ ସ୍ଲୋଗାନ ପାଇଁ ଶାସ୍ତ୍ରୀଜୀ ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି।